ନେହୁର ଏବଂ ଇନ୍ଦିରାଙ୍କ ଉଦାହରଣ ଦେଇ ଆଡଭାନୀଙ୍କୁ ପ୍ରଶଂସା କରି ବିବାଦରେ କଂଗ୍ରେସ ସାଂସଦ ଶଶି ଥରୁର
ନନ୍ଦିଘୋଷ ବ୍ୟୁରୋ: ନିଜ ବୟାନକୁ ନେଇ ପୁଣି ଥରେ କଂଗ୍ରେସ ସାଂସଦ ଶଶି ଥରୁର ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁର ଏବଂ ଇନ୍ଦିରା ଗାନ୍ଧିଙ୍କ ସହ ବିଜେପି ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକ୍ରିଷ୍ଣ ଆଡଭାନୀଙ୍କ ରାଜନୈତିକ କ୍ୟାରିୟରକୁ ସମର୍ଥନ କରିଛନ୍ତି । ନେହୁର ଏବଂ ଇନ୍ଦିରାଙ୍କୁ ଯେମିତି ଗୋଟିଏ ଘଟଣାରେ ପରିଭାଷିତ କରାଯାଇ ପାରିବ ନାହିଁ, ସେମିତି ଆଡଭାନୀଙ୍କୁ ବି କୌଣସି ଗୋଟିଏ ପ୍ରସଙ୍ଗକୁ ଆଧାର କରାଯିବା ଉଚିତ ନୁହେଁ ବୋଲି ଥରୁର କହିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଥରୁର ଏଥିରେ ଉଲ୍ଲେଖ କରିଛନ୍ତି, ଆଡଭାନୀ ଜୀ ଦୀର୍ଘବର୍ଷ ଧରି କରି ଆସିଥିବା ସେବାକୁ କେବଳ ଗୋଟିଏ ଘଟଣାରେ ସୀମିତ ରଖିବା ଅନୁଚିତ । ଯେମିତି ନେହୁର ଜୀଙ୍କ ପୂରା ରାଜେନୖତିକ ଜୀବନକୁ କେବଳ ଚୀନ ଠାରୁ ମିଳିଥିବା ଝଟକା ସହ ତୁଳନା କରାଯାଇ ପାରିବ ନାହିଁ । ଯେମିତି ଇନ୍ଦିରା ଜୀଙ୍କୁ କେବଳ ଜରୁରୀକାଳିନ ପରିସ୍ଥିତି ସହ ପରିଭାଷିତ କରାଯାଇ ପାରିବ ନାହିଁ । ସେମିତି ଆଡଭାନୀ ଜୀଙ୍କ ସହ ବି ବିବେଚନା କରାଯିବା ଉଚିତ ।
ଆଡଭାନୀଙ୍କୁ ତାଙ୍କ ୯୮ତମ ଜନ୍ମଦିନ ଅବସରରେ ଶୁଭକାମନା ଦେବା ସମୟରେ ତାଙ୍କର ସେବା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରଶଂସା କରି ଥରୁର ଏମିତି କହିଛନ୍ତି । ୮ ନଭେମ୍ବରରେ ଥରୁର ଆଡଭାନୀଙ୍କୁ ଜନ୍ମଦିନର ଶୁଭକାମନା ଦେବା ସହ ତାଙ୍କୁ ଏକ ସଚ୍ଚୋଟ ନେତା ବୋଲି ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି, ଆଧୁନିକ ଭାରତକୁ ଦିଗ ଦେବାରେ ତାଙ୍କ ଭୂମିକା ସବୁ ବେଳେ ଅବିସ୍ମରଣୀୟ ହୋଇ ରହିବ । ସେ ଜଣେ ସଚ୍ଚୋଟ ରାଜନେତା, ତାଙ୍କ ସେବା ସମର୍ପିତ ଜୀବନ ଅନୁକରଣୀୟ ହୋଇ ରହିବ ।
ତେବେ ଥରୁରଙ୍କ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । କଂଗ୍ରେସ ସାଂସଦ ବିଜେପି ନେତାଙ୍କ ବିଭାଜନକାରୀ ରାଜନୀତିରେ ଭୂମିକାକୁ ଠିକ୍ ବୋଲି ଦର୍ଶାଇଥିବା ସମାଲୋଚକ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟର ଓକିଲ ସଞ୍ଜୟ ହେଗଡ଼େ ଟାର୍ଗେଟ କରି କହିଛନ୍ତି, ଦେଶରେ ଘୃଣାର ବିଜ ବୁଣିବା କୌଣସି ପ୍ରକାର ଲୋକସେବା ନୁହେଁ ।

