ଓଡ଼ିଶାର ନଦୀ ମାନଙ୍କରେ ବିପଦ ସଂକେତ ତଳେ ଅଛି ଜଳସ୍ତର, ତେଣୁ କୌଣସି ପ୍ରକାର ବନ୍ୟା ପରିସ୍ଥିତି ନାହିଁ
1 min read
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। କୌଣସି ସ୍ଥାନରେ କି କୌଣସି ନଦୀରେ ବନ୍ୟା ଭୟ ନାହିଁ । ଏକଥା କହି ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି, ବର୍ଷାର ପ୍ରଭାବ କମିଛି। ଗତକାଲି କେବଳ ୩ଟି ବ୍ଲକ ସଦର ମହକୁମାରେ ୫୦ ମିଲିମିଟର ବର୍ଷା ହୋଇଛି। ସମସ୍ତ ନଦୀ ବିପଦ ସଂକେତ ତଳେ। ହୀରାକୁଦକୁ ୨.୨୮ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧.୩୨ ଲକ୍ଷ କ୍ୟୁସେକ ପାଣି। ୬ଟି ଗେଟରେ ପାଣି ନିଷ୍କାସନ ହେଉଛି। ରେଙ୍ଗାଲି ଡ୍ୟାମକୁ ଆସୁଛି ୮୫୫ କ୍ୟୁମେକ ପାଣି, ନିଷ୍କାସିତ ହେଉଛି ୮୦୩ କ୍ୟୁମେକ ଜଳ। ମୁଣ୍ଡଳୀରେ ବି ପାଣି କମୁଛି। କିଛି ଦିନରେ ସ୍ୱାଭାବିକ ହୋଇଯିବ। ମହାନଦୀର ଶାଖା ନଦୀରେ ବି ପାଣି କମିବ। ଆଗାମୀ ଲଘୁଚାପକୁ ନେଇ IMD ଆକଳନ କରିବା ପରେ ଜଳ ସମ୍ପଦ ବିଭାଗ ଏହାର ସମୀକ୍ଷା କରିବ ବୋଲି କହିଛନ୍ତି ଚନ୍ଦ୍ରଶେଖର ପାଢ଼ୀ।