ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର, ବିଦ୍ୟାଳୟରେ ନା ଅଛି ପିଇବା ପାଣି ସୁବିଧା ନା ଶୌଚାଳୟ ସୁବିଧା

1 min read

ନନ୍ଦିଘୋଷ ବ୍ୟୁରୋ : ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର । କେଉଁଠି ଫାଟକ ଅଛି ପାଚେରୀ ନାହିଁ ତ କେଉଁଠି ପାଚେରୀ ଥାଇ ଭାଙ୍ଗି ଯାଇଛି । ଅଁଳାଝରୀ ଗାଁର ଜମେଶ୍ୱର ଉଚ୍ଚ ବିଦ୍ୟାଳୟରେ ନା ଅଛି ପିଇବା ପାଣି ସୁବିଧା ନା ଶୌଚାଳୟ ସୁବିଧା । ବିପଦଶଙ୍କୁଳ ଭାବେ ବିଦ୍ୟାଳୟ ପରିସରରେ ରହିଛି ଏକ ବିଦ୍ୟୁତ ସବଷ୍ଟେସନ । ସରକାର ଶୀଘ୍ର ବିଦ୍ୟାଳୟ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସମସ୍ୟା ଘେରରେ ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତ ଅଁଳାଝରୀ ଗାଁର ଜମେଶ୍ୱର ଉଚ୍ଚ ବିଦ୍ୟାଳୟ । ସ୍କୁଲରେ ମୁଖ୍ୟ ଫାଟକ ଅଛି ହେଲେ ପାଚେରୀ ନାହିଁ । ଭାଙ୍ଗିଯାଇଛି ପାଚେରୀ । ପାଚେରୀ ନଥିବାରୁ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସ୍କୁଲ ପରିସରକୁ ଗାଈଗୋରୁ ପଶି ଆସୁଛନ୍ତି । ଅନେକ ସମୟରେ ସରୀସୃପ ମାନେ ଆସୁଥିବାରୁ ଏକ ପ୍ରକାର ଭୟରେ ରହୁଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନହେଁ ସ୍କୁଲରେ ପିଇବା ପାଣି ଓ ଶୌଚାଳୟ ସୁବିଧା ନାହିଁ । ସ୍କୁଲ ପରିସରରେ ଯେଉଁ ଗୋଟିଏ ନଳକୂପ ଅଛି ସେଥିରୁ ନାଲି ଓ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି । ଆଇରନ ପାଣିରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବାରୁ ଖାଦ୍ୟ ହଳଦିଆ ପଡିଯାଉଥିବା ଅଭିଯୋଗ କରିଛନ୍ତି ପାଚିକା ।

ସବୁଠାରୁ ଚିନ୍ତାର ବିଷୟ ହେଉଛି ବିଦ୍ୟାଳୟ ପରିସରରେ ଏକ ବିଦ୍ୟୁତ ସବଷ୍ଟେସନ ରହିଛି । ଯାହାକି ବିପଦଶଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ବି କିଛି ଅଘଟଣ ଘଟିପାରେ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁନାହିଁ । ଏଠି ପ୍ରଶ୍ନ ଉଠୁଛି- ଭବିଷ୍ୟତରେ କିଛି ଅଘଟଣ ଘଟିବ ସେଥିପାଇଁ କିଏ ହେବ ଦାୟୀ ? ସେପଟେ ଖୁବଶୀଘ୍ର ବିଦ୍ୟାଳୟ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ବିଡିଓ । ଭୁବନ ବ୍ଲକ ଓ ଏନଏସିରେ ମୋଟ ୧୧୨ ଟି ପ୍ରାଇମେରୀ ଓ ଉଚ୍ଚ ପ୍ରାଇମେରୀ ସ୍କୁଲ ରହିଥିବା ବେଳେ ଅନେକ ସ୍କୁଲରେ ପାଚେରୀ, ଶୌଚାଳୟ ଓ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ରହିଛି ।