ମହାନଦୀରେ ବନ୍ୟା ଆଶଙ୍କା, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଖୋଲା ଅଛି ୧୬ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ବଢ଼ିବାରେ ଲାଗିଛି ବନ୍ୟା ଜଳ ପ୍ରବେଶର ମାତ୍ରା। ବର୍ତ୍ତମାନ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୯୧୩ ଘନଫୁଟ ବନ୍ୟାଜଳ। ୧୬ଟି ଗେଟ୍ ଦେଇ ନିଷ୍କାସନ ହେଉଛି ୨ ଲକ୍ଷ ୯୭ ହଜାର ଘନଫୁଟ ବନ୍ୟାଜଳ। ଏବେ ଜଳସ୍ତର ୬୨୯.୨୧ ଫୁଟ୍ ରହିଛି। ଉପରମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ମହାନଦୀର ତଳମୁଣ୍ଡରେ ଦେଖା ଦେଇଛି ବନ୍ୟାସ୍ଥିତି। ଆସନ୍ତା ଶନିବାର ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଏହାର ପ୍ରଭାବରେ ଶାଖା ନଦୀଗୁଡିକ  ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ ବିଭାଗ । ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିଲିମିଟର ବର୍ଷା ହୋଇଛି । ଖଇରମାଳରେ ୮୨ ମିଲିମିଟର ବର୍ଷା ହୋଇଥିବାବେଳେ ତେଲ ନଦୀରେ ୩୩ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ଏହାର ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛି ଜଳ ସଂପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବିଭାଗ କହିଛି । ବନ୍ଧବାଡ଼ର ତଦାରଖ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ଜଳସ୍ତର  ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।