ଆନ୍ଧ୍ରର ଦାଦାଗିରି ଯୋଗୁଁ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ଓଡ଼ିଶାର ଶହ ଶହ ଏକର ଜମି

ଆନ୍ଧ୍ରର କାଟ୍ରାଗଡ଼ ଆଡ଼ିବନ୍ଧ ଯୋଗୁ ଓଡ଼ିଶାର କାଶୀନଗରରେ ଦାଉ ସାଜିଲାଣି ବଂଶଧାରା ନଦୀର ବନ୍ୟାଜଳ । ଆଡ଼ିବନ୍ଧରେ ପାଣି ଅଟକି ରହିଥିବାରୁ ଓଡ଼ିଶାର ଶହଶହ ଏକର ଜମି ଏବେ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ନଦୀ ଜଳ କୂଳ ଲଂଘି ମାଟି ଅତଡ଼ା ଖସୁଛି । ଭୟରେ କାଶୀନଗର ବାସିନ୍ଦା । ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ନଦୀ ବନ୍ଧ। ଆଉ ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଲୋକେ । ବିପଦକୁ ଏଡାଇବା ପାଇଁ ନଦୀ ତଟରେ ବଡ ବଡ ପଥର ପକାଇ ମାଟି ଅବକ୍ଷୟକୁ ରୋକିବା ପାଇଁ ଉଦ୍ୟମ କରାଯାଇଛି । ବନ୍ୟାଜଳ ବଢୁଥିବାରୁ ଗ୍ରାମବାସୀ ଭୟରେ । ଏ ନେଇ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ଉଠିଛି।

ବଂଶଧାରା ନଦୀ କୂଳରେ ଜିଲ୍ଲାର ବୁଦୁରା, ଗୌରୀ , ବାନ୍ନା, କିତିଙ୍ଗି, ବଥବା, ରାଧାକୃଷ୍ଣପୁର, ଆଦର୍ଶନଗର, ନୁଆ ବାଡ଼ିଙ୍ଗା, ପୁରୁଟିଗୁଡ଼ା, ସାରା,ବାଡିଙ୍ଗା, ପାଲସିଂ ଭଳି ଅନେକ ଗାଁର ହଜାର ହଜାର ଜନସାଧାରଣ ବସବାସ କରୁଛନ୍ତି । ହେଲେ ବଂଶଧାରାରେ ଅତଡା ଖାଉଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉନି । ଆଗକୁ ବର୍ଷା ଥିବାରୁ ନଦୀଜଳ ବଢିବା ସମ୍ଭାବନା ରହିଛି। ତେବେ ଏ ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି । କୂଳ ଖାଇ ନଦୀ ଗର୍ଭରେ ଲୀନ ହେଉଛି ଶହଶହ ଏକର ଜମି । ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ କାଶୀନଗର ଅଞ୍ଚଳ ବଂଶଧାରା ଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।