ବଡ଼ଚଣା ଥାନାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ

ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସମ୍ପୃକ୍ତ ବରିଷ୍ଠ ଅଧିକାରୀ ନିଜ କ୍ଷମତା ପରିସର ବାହାରେ ଅନ୍ୟ ଏକ ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣି ଥାନାରେ ତିନି ଦିନ ଅଟକ ରଖି ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ବିନା କୌଣସି ଅଭିଯୋଗ ବା ମାମଲାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଉଠାଇ ଆଣି ୩ ଦିନ ଥାନାରେ ଅଟକ ରଖିବା ସହ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଏହି ଲାଞ୍ଚ କାରବାରରେ ୨ ଜଣ ସାମ୍ବାଦିକ ମଧ୍ୟ ସାମିଲ ଥିବା ଜଣାପଡିଛି। ଏନେଇ ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ବୁଧବାର ଅଭିଯୋଗକାରୀଙ୍କ ପୁଅ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇ ବଡ଼ଚଣା ଥାନା ଅଧିକାରୀ ଓ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ କଟକ ଜିଲ୍ଲା ଭଦ୍ରେଶ୍ବର ଥାନା କୁରୁଜଙ୍ଗା ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କ ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ଏକ ଔଷଧ ଦୋକାନ ରହିଛି। ଗତ ଜୁନ ୨୪ ତାରିଖରେ ବଡ଼ଚଣା ଥାନାର ସମ୍ପୃକ୍ତ ବରିଷ୍ଠ ଅଧିକାରୀ ଜଣକ ପ୍ରଫୁଲ୍ଲଙ୍କ ଔଷଧ ଦୋକାନରେ ପହଞ୍ଚି ଡାକ୍ତର ଏ.କେ ଜୟସିଂହଙ୍କୁ ଖୋଜିଥିଲେ। ହେଲେ ଡକ୍ଟର ଆସି ନାହାନ୍ତି ବୋଲି ପ୍ରଫୁଲ୍ଲ କହିବାରୁ ତାଙ୍କୁ ବଡ଼ଚଣା ଥାନାକୁ ଉଠାଇ ଆଣିଥିଲେ। ପରେ ପ୍ରଫୁଲ୍ଲଙ୍କ ପୁଅ ଓ ତାଙ୍କର ଜଣେ ସମ୍ପର୍କୀୟ ଥାନାରେ ପହଞ୍ଚି ଉଠାଇ ଆଣିବାର କାରଣ ବା ଅଭିଯୋଗ ସମ୍ପର୍କରେ ପଚାରିଥିଲେ ମଧ୍ୟ ପୋଲିସ କିଛି କହିନଥିଲା। ପରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ୨ ଜଣ ଗଣମାଧ୍ୟମ ପ୍ରତିନିଧି ଥାନାରେ ପହଞ୍ଚି ମଧ୍ୟସ୍ଥତା କରିଥିଲେ । ପ୍ରଫୁଲ୍ଲଙ୍କୁ ମୁକୁଳାଇବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରଫୁଲ୍ଲଙ୍କ ପୁଅ ପ୍ରଦୀପ୍ତ ସୁନା ଗହଣା ବିକିବା ସହ ଧାର କରଜ କରି ଅଢେଇ ଲକ୍ଷ ଟଙ୍କା ଦେବା ପରେ ୩ ଦିନ ଦିନ ଧରି ଥାନାରେ ବସିଥିବା ପ୍ରଫୁଲ୍ଲଙ୍କୁ ପୋଲିସ ଛାଡିଥିଲା। ଅଢେ଼ଇ ଲକ୍ଷ ଟଙ୍କାରୁ ୯୦ ହଜାର ଫୋନପେ ଓ ବଳକା ଟଙ୍କା ନଗଦ ଆକାରରେ ପ୍ରଦୀପ୍ତ ଦେଇଥିଲେ। ଘଟଣା ପରଠୁ ପ୍ରଫୁଲ୍ଲ ଭୟଭୀତ ହୋଇ ରହିଛନ୍ତି । ଏହା ପଛରେ ଏକ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି ।