ନିର୍ବାଚନ କମିଶନ ଓ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ଏସଆଇଆରକୁ ବିରୋଧ କରି ମହାଗଠବନ୍ଧନ ପକ୍ଷରୁ ଭୋଟ ଅଧିକାର ଯାତ୍ରା ଚାଲୁଅଛି । ଯାତ୍ରାର ୧୨ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତେଜସ୍ବୀ ଯାଦବ ସୀତାମାଢିରେ ମା’ ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରା ଆରମ୍ଭ କରିଛନ୍ତି । ଏହା ପରେ ସୀତାମାଢିରେ ଜନସାଧରରଙ୍କୁ ସମ୍ବୋଧନ କରି ସରକାର ଓ ନିର୍ବାଚନ କମିଶନ ଉପରେ ବର୍ଷିଛନ୍ତି ରାହୁଲ ।
ସେ କହିଛନ୍ତି ଆମେ ଗୋଟିଏ ବି ଭୋଟ ଚୋରି ହେବାକୁ ଦେବା ନାହିଁ । ଆମେ ଜାଣିଛେ ବିହାରରେ ଗୋଟ ଚୋରି କରିବା ପାଇଁ ଚେଷ୍ଟା କରାଯାଉଛି । ଏଥିପାଇଁ ଭୋଟ ଅଧିକାର ଯାତ୍ରାର ଆରମ୍ଭ କରାଯାଇଛି । ନିର୍ବାଚନ ଅଧିକାରୀଙ୍କୁ ଜଣାପଡିବା ଦରକାର, ବିହାରର ଲୋକ ବହୁତ ବୁଦ୍ଧିମାନ ସେମାନେ ଭୋଟ ଚୋରି ହେବାକୁ ଦେବେ ନାହିଁ ।
ରାହୁଲ କହିଛନ୍ତି, ଦଳିତ ଭାଇଙ୍କୁ କହିବାକୁ ଚାହିଁବି । ଆପଣ ମନେ ପକାନ୍ତୁ ଦେଶ ସ୍ବାଧିନ ହେବା ଆଗରୁ ଆପଣ କିପରି ଥିଲେ ? ଆପଣଙ୍କୁ ଅଛୁଆ କୁହାଯାଉଥିଲା । ସମ୍ବିଧାନ ଆପଣଙ୍କୁ ଆପଣଙ୍କର ଅଧିକାର ଦେଇଛି । ବିଜେପି ଏହି ଅଧିକାର ଛଡାଇବାକୁ ଚାହୁଁଛି । ୬୫ ଲକ୍ଷ ଭୋଟ କଟିଛି । ସେଥିରେ ଜଣେ ବି ଧନୀ ଲୋକଙ୍କ ନାଁ ନାହିଁ । ସେମାନେ ଗରୀବଙ୍କ ଭୋଟ ଚୋରି କରୁଛନ୍ତି । ଆପଣଙ୍କ ସ୍ବରକୁ ଦବାଇବାକୁ ଚାହୁଁଛନ୍ତି । ସେମାନେ କେବେ ହେଲେ ଆପଣଙ୍କ ସ୍ବରକୁ ଚପାଇପାରିବେ ନାହିଁ । ଆପଣଙ୍କ ସହ ଆମେ ଠିଆ ହୋଇଛୁ ।
ରାହୁଲ ଏହା ମଧ୍ୟ କହିଛନ୍ତି, ‘‘ଆପଣମାନେ ଏହି ଯାତ୍ରାରେ ଆପଣଙ୍କ ଶକ୍ତି ଲଗାଇଛନ୍ତି । ଛୋଟ ଛୋଟ ପିଲାମାନେ ମୋ କାନରେ ଆସି କହୁଛନ୍ତି କି , ନରେନ୍ଦ୍ର ମୋଦି ଭୋଟ ଚୋରି କରୁଛନ୍ତି । କର୍ଣ୍ଣାଟକରେ ଆମେ ପ୍ରମାଣ ସହ ଦେଖାଇଛୁ କି ବିଜେପି ଭୋଟ ଚୋରି କରୁଛି । ଏହା ପୂର୍ବରୁ ମୁଁ କେବେ ବିଜେପି ଓ ନିର୍ବାଚନ କମିଶନର ଭୋଟ ଚୋରି କରିବା କଥା କହିନଥିଲି । ଏବେ ମୁଁ ଖାଲି କର୍ଣ୍ଣାଟକର ପ୍ରମାଣ ନେଇଛି । ଆଗକୁ ହରିୟାଣା ଓ ଲୋକସଭା ନିର୍ବାଚନର ପ୍ରମାଶ ଦେବି । ପ୍ରମାଣ କରିଦେବୁ କି ବିଜେପି ଓ ଆରଏସଏସ ଭୋଟ ଚୋରି କରି ନିର୍ବାଚନ ଜିତିଛନ୍ତି ।
ସୀତାମାଢିରେ ତେଜସ୍ବୀ ଯାଦବ କହିଛନ୍ତି, ଆମ କାକା ଯେପରି ନୀତି ପରିବର୍ତ୍ତନ କରୁଛନ୍ତି, ବିହାରରେ ଶାସନ କରିବା ସ୍ଥିତିରେ ନାହାନ୍ତି । ବିହାର ଲୋକଙ୍କୁ ରୋଜଗାର ଓ ଚାକିରି ଦରକାର । ବିହାର ଗଣତନ୍ତ୍ରର ଜନ୍ମଭୂମି । ବିଜେପି ଓ ଏହାର ସହଯୋଗୀ ନିର୍ବାଚନ କମିଶନର ବିହାରରେ ଗଣତନ୍ତ୍ର ଶେଷ କରିବାକୁ ଚାହୁଛନ୍ତି । ନରେନ୍ଦ୍ର ମୋଦି ଗଣତନ୍ତ୍ରକୁ ଶେଷ କରି ରାଜତନ୍ତ୍ର ସ୍ଥାପନ କରିବାକୁ ଚାହୁଁଛନ୍ତି ।