ପ୍ରେମିକ ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ, ମଦ ପିଆଇ କେନାଲରେ ଫିଙ୍ଗିଦେଲା

ନନ୍ଦିଘୋଷ ବ୍ୟୁରୋ  ; କର୍ଣ୍ଣାଟକର ଚନ୍ନାଗିରିରୁ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ତା’ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛି । ମାରିଦେବା ପରେ କେରଳ ଚାଲିଯାଇଥିଲା । ସେଠାରୁ ଚନ୍ନାଗିରି ପୋଲିସ ଅଭିଯୁକ୍ତ ପତ୍ନୀ ଓ ତାର ପ୍ରେମିକ ଉଭୟଙ୍କୁ ଗିରଫ କରିଛି। ମୃତ ସ୍ୱାମୀଙ୍କୁ ଚନ୍ନାଗିରି ତାଲୁକାର ଅନ୍ନପୁରା ଗ୍ରାମର ନିଙ୍ଗାପ୍ପା ବୋଲି ଚିହ୍ନଟ କରାଯାଇଛି।

ଅଭିଯୁକ୍ତ ପତ୍ନୀଙ୍କ ଲକ୍ଷ୍ମୀଙ୍କର ପ୍ରେମିକଙ୍କ ନାମ ଟିପେଶ ନାଏକ  । ଏହି ମାମଲାର ତୃତୀୟ ଅଭିଯୁକ୍ତ ସନ୍ତୋଷ । ଦାଭାନାଗେରେ ଜିଲ୍ଲାର ହୋନାଲି ତାଲୁକର ତ୍ୟାଗଡାକାଟ୍ଟେର ବାସିନ୍ଦା ଲକ୍ଷ୍ମୀ ଓ ନିଙ୍ଗାପ୍ପା ଆଠ ବର୍ଷ ଧରି ବିବାହିତ ଥିଲେ। ବିବାହର ଆଠ ବର୍ଷ ପରେ ମଧ୍ୟ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିଲା।

ଦିନେ ସେ ଜାଣିବାକୁ ପାଇଲେ ନିଙ୍ଗାପ୍ପାଙ୍କର ସନ୍ତାନ ଜନ୍ମ କରିବାର କ୍ଷମତା ନାହିଁ। ନିଙ୍ଗାପ୍ପା ପୂର୍ବରୁ ସୁପାରୀ ବ୍ୟବସାୟୀ ଭାବରେ କାମ କରୁଥିଲେ। ତାଙ୍କର ଟିପେଶ ନାଏକ ଓ ସନ୍ତୋଷଙ୍କ ସହିତ ବନ୍ଧୁତା ଥିଲା। ଦୁହେଁ ଶ୍ରମିକ ଭାବରେ କାମ କରିବାକୁ ତାଙ୍କ ଘରକୁ ଆସୁଥିଲେ। ଏହି ସମୟରେ ଟିପେଶ ନାଏକ ଲକ୍ଷ୍ମୀଙ୍କୁ ଭେଟିଥିଲେ। ତା’ପରେ ସେମାନଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। କେବଳ ଏତିକି ନୁହେଁ, ଏହା ପରେ ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା। ଫଳସ୍ୱରୂପ, ଲକ୍ଷ୍ମୀ ଗର୍ଭବତୀ ହୋଇଥିଲେ।

ନିଙ୍ଗାପ୍ପା ଜାଣିଥିଲେ ଯେ ସେ ପିତା ହୋଇପାରିବେ ନାହିଁ, ତେଣୁ ସେ ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରି ତାଙ୍କୁ ଡାକ୍ତରଖାନା ନେଇ ଗର୍ଭପାତ କରାଇଥିଲେ। ତାଙ୍କ ସ୍ୱାମୀଙ୍କ ଆଚରଣରେ ରାଗି ଲକ୍ଷ୍ମୀ ତାଙ୍କ ସ୍ୱାମୀ ନିଙ୍ଗାପ୍ପାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏହା ପରେ, ୧୮ ଜାନୁଆରୀ ୨୦୨୪ରେ ପ୍ରେମିକ ଟିପେଶ ନାଏକଙ୍କ ସହିତ ତାଙ୍କ ସ୍ୱାମୀ ନିଙ୍ଗାପ୍ପାଙ୍କୁ ପାର୍ଟି ଦେବା ବାହାନାରେ ଚନ୍ନାଗିରି ତାଲୁକର ନାଲ୍ଲୁର ଗାଁକୁ ନେଇଯାଇଥିଲେ ଲକ୍ଷ୍ମୀ।ସେଠାରେ ଲକ୍ଷ୍ମୀ ଓ ଟିପେଶ ନିଙ୍ଗାପ୍ପାଙ୍କୁ ପ୍ରଚୁର ମଦ ପିଆଇଥଲେ । ତା’ପରେ ସେମାନେ ନିଙ୍ଗାପ୍ପାଙ୍କୁ କେନାଲରେ ଫିଙ୍ଗି ଦେଲେ। ପରେ, ଲକ୍ଷ୍ମୀ ଚନ୍ନାଗିରି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ନିଙ୍ଗାପ୍ପା ଗୋଡ଼ ଖସିଯାଇ କେନାଲରେ ପଡ଼ିଯାଇଥିଲେ। ପୋଲିସ କେନାଲରେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ, ନିଙ୍ଗାପ୍ପାଙ୍କୁ ପାଇ ନଥିଲେ।

ଏହି ସମୟରେ, ଲକ୍ଷ୍ମୀ ତାଙ୍କ ଜନ୍ମସ୍ଥାନକୁ ଫେରି ଆସିଲେ।ଟିପେଶ ନାଏକ ମଧ୍ୟ କାମ ପାଇଁ କେରଳ ଯାଇ ସେଠାରେ ରହିଲେ। ପରେ ଟିପେଶ ତାଙ୍କ ପ୍ରେମିକା ଲକ୍ଷ୍ମୀଙ୍କୁ କେରଳ ନେଇଗଲେ। ଲକ୍ଷ୍ମୀ ତାଙ୍କ ପରିବାରର କାହାକୁ ନକହି କେରଳ ଚାଲିଗଲେ। ଲକ୍ଷ୍ମୀଙ୍କ ପରିବାର ଚନ୍ନାଗିରି ଥାନାରେ ନିଖୋଜ ଅଭିଯୋଗ ଦାୟର କଲେ। ଲକ୍ଷ୍ମୀଙ୍କ ଆଚରଣ ଉପରେ ସନ୍ଦେହ କରି ପୋଲିସ ଟିପେଶ ନାଏକଙ୍କ ବନ୍ଧୁ ସନ୍ତୋଷଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ସନ୍ତୋଷ ସ୍ୱୀକାର କରିଥିଲେ ଯେ ଲକ୍ଷ୍ମୀ ଓ ଟିପେଶ ନାଏକଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା। ଯେତେବେଳେ ଲକ୍ଷ୍ମୀ ଗର୍ଭବତୀ ହେଲେ, ନିଙ୍ଗାପ୍ପା ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କଲେ। ଏଥିରେ କ୍ରୋଧିତ ହୋଇ ଲକ୍ଷ୍ମୀ ତାଙ୍କ ପ୍ରେମିକ ଟିପେଶଙ୍କ ସହ ମିଶି ତାଙ୍କ ସ୍ୱାମୀ ନିଙ୍ଗାପ୍ପାଙ୍କୁ ହତ୍ୟା କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା।