ଏଫଏମ ମାମଲା: ଆଇସିସି ରିପୋର୍ଟ କମିଟି ସଦସ୍ୟଙ୍କୁ ଟାଣିଲା ସନ୍ଦେହ ଘେରକୁ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ଛାନବିନ । ଘଟଣାରେ ୨୦ ଜଣଙ୍କୁ ପଚରା ଉଚରା କରାଯାଇଛି । ସେପଟେ ନନ୍ଦିଘୋଷ ଟିଭି ହାତରେ ଲାଗିଛି ଆଇସିସି କମିଟିର ରିପୋର୍ଟ । ଏହି ରିପୋର୍ଟ ହିଁ ଆଇସିସି କମିଟି ସଦସ୍ୟଙ୍କୁ ସନ୍ଦେହ ଘେରକୁ ଆଣିଛି । କାରଣ ଏଥିରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଦିଆଯାଇଛି କ୍ଲିନଚିଟ ।

କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ହାତରେ ଲାଗିଛି ବହୁତ ସୁରାଗ । ତଦନ୍ତ ଲାଗି ଆଜି କଲେଜରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ପ୍ରଥମେ ପୂର୍ବାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ । ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ । ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏହି ମାମଲା ସହିତ ସମ୍ପୃକ୍ତ ଥିବା ୨୦ ଜଣ ଲୋକଙ୍କୁ ପଚରାଉଚରା କରିଥିଲେ । ଡିଜିଙ୍କ ସହ ଥିଲେ କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍. ସାଇନି, ଡିଏସପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳୀ ରାଉତ । ଡିଜି କହିଛନ୍ତି, ବାଲେଶ୍ବର ପୀଡିତାଙ୍କୁ ନେଇ ତଦନ୍ତ ସମୟରେ ଅନେକ ସାମଗ୍ରୀ ମିଳିଛି । ସେଗୁଡିକୁ ଏସଏଫଏସଏଏକୁ ପଠାଯାଇଛି । ମାମଲାର ସଠିକ ତଦନ୍ତ ହେବ ଓ ଝିଅକୁ ନ୍ୟାୟ ମିଳିବ । ସାକ୍ଷୀମାନଙ୍କର ବୟାନ ଆସିଛି । ଡିଜିଟାଲ ମିଡିଆରେ ଯେଉଁ ବୟାନ ଆସୁଛି ଏବଂ ତଦନ୍ତ ସମୟରେ ଆସିଥିବା ବୟାନ ଓ ଏସଏଫଏସଏଲ ରିପୋର୍ଟକୁ ନେଇ ତର୍ଜମା କରାଯିବ । କ୍ରାଇମବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି ।

ସେପଟେ ନନ୍ଦିଘୋଷ ଟିଭି ହାତରେ ଲାଗିଛି ଆଇସିସି କମିଟିର ରିପୋର୍ଟ । ଏହି ରିପୋର୍ଟ ହିଁ ଆଇସିସି କମିଟିର ସଦସ୍ୟଙ୍କୁ ସନ୍ଦେହ ଘେରକୁ ଆଣିଛି । ପୀଡିତାଙ୍କୁ ନିୟମିତ ଭାବେ କ୍ଲାସ ନ ଆସିବା ଏବଂ ସମୀର ସାହୁ ତାଙ୍କୁ ତାଗିଦ କରୁଥିବା କଥା ଉଲ୍ଲେଖ ରହିଛି । ଏପରିକି କଲେଜ କ୍ୟାମ୍ପସ ବାହାର କଥା ଅର୍ଥାତ ପୀଡିତା କେଉଁ କେଉଁ ମେସ ବା ଘରେ ଭଡାରେ ରହୁଥିବା ବେଳେ ତାଙ୍କୁ ମେସର ମାଲିକ ବାହାର କରିଥିଲେ ସେହି କଥା ବି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଡ଼ କଥା ହେଉଛି, ଅଭିଯୁକ୍ତ ସମୀର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିପୋର୍ଟରେ କିଛି ବି ଉଲ୍ଲେଖ ନାହିଁ ।