ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: ୨୧ରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା । ଆସନ୍ତା ୨୧ ତାରିଖରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ନ୍ୟାୟ ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ କଟକରେ ଦଳ କରିବ ବିକ୍ଷୋଭ । ଏଥିପାଇଁ ଜିଲ୍ଲା ସ୍ତରର ମୁଖ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ବାଲେଶ୍ୱର ଘଟଣା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଛି । ବିଜେଡି ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଆସୁଛି । ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା । ଏହା ପରେ ଲୋକସେବା ଭବନ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା ।

ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଯାହା ସରକାର ପର୍ଦ୍ଦାଫାସ କରିବା ପାଇଁ ଚାହୁଁ ନାହାନ୍ତି । ପ୍ରକୃତ ତଦନ୍ତ ହେଲେ ଯେଉଁମାନେ ଶବକୁ କାନ୍ଧ ଦେଉଛନ୍ତି, ସେମାନେ ବନ୍ଧା ହୋଇଯାଆନ୍ତେ । କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକ ରହିଛି । ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଜରିଆରେ ତଦନ୍ତ ହେଉ । ସିସିଟିଭିରେ ଜଣାପଡୁଛି, ଜଣେ ଭିଡିଓ ରେକର୍ଡ କରୁଛି । ଆଉ ଜଣେ ବାଟ କଢ଼େଇ ନେଉଛି । ଏ ସବୁ ପଛରେ ଏବିଭିପିର ଛାତ୍ର ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି । ଏମ୍ସରେ ତାଙ୍କ ବାପାଙ୍କୁ ସାନ୍ତ୍ବନା ଦେବା ବେଳେ ଏବିଭିପି ଗୁଣ୍ଡାବାହିନୀ ତାଙ୍କୁ ଆକ୍ରମଣ କଲେ ବୋଲି ଅଭିଯୋଗ କରିଛନ୍ତି ଗୌତମବୁଦ୍ଧ ଦାସ । ଆଗାମୀ ଛାତ୍ର ସଂସଦ ନିର୍ବାଚନ ଲାଗି ଉଭୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହି କାରଣରୁ ଝିଅଟି ବଳି ପଡ଼ିଥିବା ସନ୍ଦେହ ହେଉଛି । ଛାତ୍ରୀଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଭୋଗରାଇ ବିଧାୟକ ।