ଜନ୍ମଦିନରେ ଇଶାନ କିଷାନଙ୍କୁ ପୁଣି ଏକ ଝଟକା, ଏହି ଟିମରୁ ହୋଇ ପାରନ୍ତି ଆଉଟ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟରେ ବିସ୍ଫୋରକ ଓପ୍ନର ଭାବେ ନାଁ କମେଇ ଥିବା ଓ୍ବିକେଟ କିପର ବ୍ୟାଟର ଇଶାନ କିଷାନଙ୍କ ଦିନ ଏବେ ଭଲ ଚାଲୁନି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ହେବ ଭାରତୀୟ କ୍ରିକେଟ୍ ଟିମରୁ ବାହାରେ ଥିବା ଇଶାନଙ୍କ ଆଜି ଜନ୍ମଦିନ । ସେ ତାଙ୍କ ୨୭ ତମ ଜନ୍ମଦିନ ପାଳନ କରୁଥିବା ବେଳେ ଏମିତି ଏକ ଖବର ପଦାକୁ ଆସିଛି ଯାହା ତାଙ୍କ ପାଇଁ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଜୋରଦାର ଝଟକା ଭଳି ହୋଇଛି । ଟିମ୍ ଇଣ୍ଡିଆ ପରେ ଇଶାନ ଆଉ ଏକ ଟିମରୁ ବାହାର ହେବାକୁ ଯାଉଥିବା ଚର୍ଚ୍ଚା ଏବେ ଜୋର ଧରିଛି ।
ନିକଟରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟରେ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ଅର୍ଦ୍ଧଶତକ ହାସଲ କରି ନିଜ ଦମଦାର ଫର୍ମ ଦେଖାଇଛନ୍ତି ଇଶାନ । ଏପରିକି ଇଂଲଣ୍ଡରେ କାଉଣ୍ଟି ଖେଳି ଟିମ୍ ଇଣ୍ଡିଆକୁ ଫେରିବାକୁ ଆଶା ରହିଛନ୍ତି । ହେଲେ ଏବେ ଶୁଣିବାକୁ ମିଳୁଛି । ୨୦୨୬ ଆଇପିଏଲ ପୂର୍ବରୁ ତାଙ୍କୁ ବଡ଼ ଝଟକା ଲାଗିପାରେ ।
ଚର୍ଚ୍ଚା ହେଉଛି କାୟା ମାରନଙ୍କ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ୨୦୨୬ ନିଲାମୀ ପୂର୍ବରୁ ଇଶାନଙ୍କୁ ବାହାର କରିପାରେ । କାରଣ ୨୦୨୫ରେ ଏସଆରଏଚ ଇଶାନଙ୍କୁ ୧୧.୨୫ କୋଟି ଟଙ୍କାରେ କିଣିଥିଲା । ଆଉ ଇଶାନଙ୍କ ୨୫ ଆଇପିଏଲ ମଧ୍ୟ ଧମାକାଦାର ଭାବେ ଆରମ୍ଭ ହୋଇଥିଲା । ପ୍ରଥମ ମ୍ୟାଚରେ ଶତକ ମାରି ଇଶାନ ନିଜ ଜଲଓ୍ବା ଦେଖାଇ ଥିଲେ । ହେଲେ ଏହାପରେ ତାଙ୍କ ବ୍ୟାଟ୍ ଯେମିତି ଚୁପ ହୋଇଯାଇଥିଲା । ଏହି ସିଜିନରେ ଇଶାନ ୧୪ମ୍ୟାଚରେ ୧୩ ଇଂନିସ ଖେଳି ୩୫.୪୦ ଆଭରେଜରେ ମାତ୍ର ୩୫୪ ରନ କରିବାକୁ ସକ୍ଷମ ହୋଇଥିଲେ । ଯେଉଁଥିରେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ରହିଛି । ଏମିତି ସ୍ଥିତିରେ ଏବେ ତାଙ୍କ ମୁଣ୍ଡରେ ଟିମରୁ ଆଉଟ ହେବାର ଖଣ୍ଡା ଝୁଲୁଛି ।