ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଅଧାରୁ ବନ୍ଦ ହୋଇଥିବା IPL ପୁଣି ଆରମ୍ଭ ହୋଇପାରେ । ଏମିତି କିଛି ସୂଚନା ମିଳୁଛି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆସନ୍ତା ୧୬ ତାରିଖରୁ ପୁଣି ଆରମ୍ଭ ହୋଇପାରେ IPL । ଯଦି IPL ଆରମ୍ଭ ହୁଏ ତେବେ ପ୍ରତିଦିନ ଦୁଇଟି ମ୍ୟାଚ୍ ଖେଳାଯିବାକୁ ଯୋଜନା କରାଯାଉଛି । ନିଜ ନିଜ ଖେଳାଳିଙ୍କୁ ଡାକିବାକୁ ବିସିସିଆଇ ଫ୍ରାଞ୍ଚାଇଜମାନଙ୍କୁ କହି ସାରିଛି । IPLର ଆହୁରି ୧୭ଟି ମ୍ୟାଚ୍ ବାକି ଅଛି ।

ସୂଚନାଯୋଗ୍ୟ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ସୀମା ଆର ପଟେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଗତ ୨୨ ତାରିଖ ରାତିରେ ଭାରତ ପିଓକେ ସ ପାକିସ୍ତାନର ୯ଟି ସ୍ଥାନରେ ଆତଙ୍କବାଦୀଙ୍କ ଶିବିରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରି ଦେଇଥିଲା । ଏହାର ପାଲଟା ଆକ୍ରମଣ କରିବାକୁ ଯାଇ ପାକିସ୍ତାନ ଭାରତ ଉପରେ ଡ୍ରୋନ ଓ ମିଜାଇଲରେ ଆଟାକ କରିବାକୁ ଉଦ୍ୟମ କରିଥିଲା । ଲଗାତାର ୩ ଦିନ ପାକିସ୍ତାନ ଏପରି ଉଦ୍ୟମ କରିଥିଲେ ମଧ୍ୟ ତା’ର ସମସ୍ତ ମିଜାଇଲ ଓ ଡ୍ରୋନକୁ ଭାରତ ଆକାଶରେ ଧ୍ବଂସ କରି ଦେଇଥିଲା । ଏପରିକି ପାକିସ୍ତାନର ୫ଟି ଫାଇଟର ଜେଟକୁ ମଧ୍ୟ ଉଡାଇ ଦେଇଥିଲା । ଏମିତି ସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇର ଅବଶିଷ୍ଠ ମ୍ୟାଚକୁ ସ୍ଥଗିତ ରଖିଥିଲା । ଗତକାଲି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହେବା ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଏମିତି ସ୍ଥିତିରେ ପୁଣି ଥରେ IPLର ବଳକା ମ୍ୟାଚ୍ କରିବାକୁ ବିସିସିଆଇ ଅଣ୍ଟା ଭିଡ଼ିଛି ।