LOCରେ ପାକିସ୍ତାନର ଗୁଳି ମାଡ଼: ଦେଶ ପାଇଁ ପ୍ରାଣବଳି ଦେଲେ ଲାଏନ୍ସ ନାଏକ ଦିନେଶ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ପାକିସ୍ତାନ ଗୁଳିରେ ସହିଦ ଲାନ୍ସ ନାୟକ ଦିନେଶ କୁମାର। ପୁଞ୍ଚରେ ନିୟୋଜିତ ଥିଲେ ଲାନ୍ସ ନାୟକ ଦିନେଶ କୁମାର। ପାକିସ୍ତାନୀ ସେନାର ଗୁଳିମାଡ଼ରେ ପଞ୍ଚମ ଫିଲ୍ଡ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର ଶର୍ମା ସହିଦ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ହରିୟାଣାର ପଲୱାଲର ମହମ୍ମଦପୁର ଗାଁର ନିବାସୀ ୩୨ ବର୍ଷୀୟ ଯବାନ ଦିନେଶ ଶର୍ମା ନିୟନ୍ତ୍ରଣ ରେଖାରେ ଡ୍ୟୁଟି କରୁଥିଲେ ।
ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ ଏବଂ ମୋର୍ଟାର ଗୁଳି ଚଳାଇଛି ପାକିସ୍ତାନ। ଏହି ଗୁଳିମାଡ଼ରେ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଥିଲେ।
ସହିଦ ଦିନେଶଙ୍କ ପତ୍ନୀ ସୀମା ପେଶାରେ ଜଣେ ଓକିଲ ହୋଇଥିବା ବେଳେ ପାଞ୍ଚ ବର୍ଷର ପୁଅ ଦର୍ଶନ ଏବଂ ସାତ ବର୍ଷର ଝିଅ କାବ୍ୟ ଅଛନ୍ତି । ସେହିପରି ପୁଅର ବଳିଦାନ ପାଇଁ ବହୁତ ଗର୍ବିତ ବୋଲି କହିଛନ୍ତି ଦିନେଶଙ୍କ ପିତା । ତାଙ୍କର ତିନି ପୁଅ ସେନାରେ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଦିନେଶ କୁମାର । ୨୦୧୪ ମସିହାରେ, ଦିନେଶଙ୍କୁ ଆର୍ଟିଲେରୀ ରେଜିମେଣ୍ଟରେ ଲାନ୍ସ ନାୟକ ଭାବରେ ନିଯୁକ୍ତି ଦିଆଯାଇଥିଲା ।