ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି ପ୍ରଶାନ୍ତଙ୍କ ବଡ଼ ଭାଇ, ନବୀନଙ୍କୁ ଭେଟି ଏକାଦଶାହ ପାଇଁ କଲେ ନିମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃଦ ଭଦ୍ରକର ପ୍ରଶାନ୍ତ ଶତପଥୀଙ୍କ ଆସନ୍ତା ୩୦ ତାରିଖରେ ଏକାଦଶାହ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ପ୍ରଶାନ୍ତଙ୍କ ବଡ଼ ଭାଇ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭେଟ ନପାଇ ନିରାଶ ହୋଇ ଫେରିଛନ୍ତି । ସେପଟେ ନବୀନ ନିବାସ ଯାଇ ସେଠାରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଦଶାହକୁ ଯିବାକୁ କରିଛନ୍ତି ନିମନ୍ତ୍ରଣ ।
ସୂଚନାଯୋଗ୍ୟ, ପହଲଗାଓଁ ନରସଂହାରରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀ ତାଙ୍କୁ ତାଙ୍କ ଧର୍ମ ପଚାରିବା ପରେ ପରିବାର ଆଗରେ ଗୁଳି କରି ମାରି ଦେଲେ । ଏହି ଘଟଣାରେ ପ୍ରଶାନ୍ତଙ୍କ ସମେତ ୨୮ ଜଣଙ୍କୁ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି । ଏହାରି ଭିତରେ ଆସନ୍ତା ୩୦ ତାରିଖରେ ପ୍ରଶାନ୍ତଙ୍କ ଏକାଦଶାହ ହେବ । ଏଥିପାଇଁ ପ୍ରଶାନ୍ତଙ୍କ ବଡ଼ ସୁଶାନ୍ତ ଶତପଥୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିବାକୁ ଭୁବନେଶ୍ବର ଆସିଥିଲେ । ୨ ଘଣ୍ଟା ଅପେକ୍ଷା କରିବା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳି ନଥିଲା ।
ଓଡ଼ିଆ ଅସ୍ମିତା କଥା କହି ରଡି ପକାଉଥିବା ବିଜେପି ମୁଖ୍ୟମନ୍ତ୍ରୀ ଓ ନେତା, ମନ୍ତ୍ରୀଙ୍କର ଓଡ଼ିଶା ପ୍ରତି କେତେ ଦରର ଏଇ ଗୋଟିଏ କଥାରୁ ଜଣାପଡୁଛି । ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିବା ଜଣେ ଓଡ଼ିଆଙ୍କ ପରିବାରକୁ ଦୁଇ ମିନିଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ଏମିତି ସମୟରେ ମୃତକଙ୍କ ପରିବାର ଲୋକଙ୍କୁ ନଭେଟିବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି ।
ସେପଟେ, ମୁଖ୍ୟମନ୍ତ୍ରୀ ସିନା ପ୍ରଶାନ୍ତଙ୍କ ଭାଇଙ୍କୁ ଦେଖା ଦେଲେ ନାହିଁ । ହେଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସୁଶାନ୍ତ । ନବୀନ ନିବାସ ଯାଇ ସୁଶାନ୍ତ, ନବୀନଙ୍କୁ ଭେଟିଛନ୍ତି । ନବୀନଙ୍କ ସହ ଆଲୋଚନା କରିବା ସହ ପ୍ରଶାନ୍ତଙ୍କ ଏକାଦଶାହରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ନବୀନ ସମବେଦନା ଜଣାଇଛନ୍ତି । ପ୍ରଶାନ୍ତଙ୍କ ଅକାଳ ବିୟୋଗ ପାଇଁ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସ୍ବାନ୍ତନା ନେଇଛନ୍ତି ।