ମୃତ୍ୟୁପଥ ପାଲଟିଛି ଜାତୀୟ ରାଜପଥ: ଦୁର୍ଘଟଣାରେ ଯାଉଛି ଜଣଙ୍କ ପରେ ଆଉ ଜଣଙ୍କ ଜୀବନ

1 min read

ଜୟପୁର: ମତ୍ୟୁପଥ ପାଲଟିଛି ଜାତୀୟ ରାଜପଥ । କୋରାପୁଟ-ସୁନାବେଡ଼ା ରାସ୍ତାରେ ନୟାନ୍ତ ଯାତ୍ରୀ । ଖରାରେ ଧୂଳି କରୁଛି ଅଣନିଃଶ୍ବାସୀ, ବର୍ଷା ହେଲେ ଟ୍ରାଫିକ ଜାମ । ଲଗାତର ଦୁର୍ଘଟଣା ଯୋଗୁଁ ଚିନ୍ତାରେ ଗାଡ଼ି ଚାଳକ । କୋରାପୁଟ ଜିଲ୍ଲାରୁ ଆନ୍ଧ୍ର, ଛତିଶଗଡକୁ ସଂଯୋଗ କରୁଛି ୨୬ ନମ୍ବର ଜାତୀୟ ରାଜପଥ । ସରକାରୀ ମହାବିଦ୍ୟାଳୟ ଠାରୁ ସୁନାବେଡା ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତାରେ ଦୀର୍ଘ ଏକବର୍ଷ ଧରି ଜାରି ରହିଛି କାମ । ୧୫ ବର୍ଷକ ମଧ୍ଯରେ ଏଠାରେ ୧୫ ଜଣଙ୍କ ଦୁର୍ଘଟଣାରେ ଜୀବନ ଗଲାଣି । ସାମାନ୍ଯ ବର୍ଷା ହେଲେ କାଦୁଅ ପଚପଚ ହୋଇ ପାଣି ଜମି ରହୁଥିବାରୁ ଦୁର୍ଘଟଣା ଘଟୁଛି । ଠିକାଦାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅକାଳରେ ଯାଉଛି ଲୋକଙ୍କ ଜୀବନ । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ରାସ୍ତା ମରାମତି କାମ ସାରିବାକୁ ଦାବି କରିଛନ୍ତି ବିଧାୟକ ଓ ସ୍ଥାନୀୟ ଲୋକେ ।

ମରାମତି କାମ ସାରିବାକୁ ଅନେକ ସମୟରେ ଲୋକେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ତଥାପି ମାତ୍ର ୯ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲାଗି ଗଲାଣି ଏକବର୍ଷରୁ ଅଧିକ ସମୟ । ବାରମ୍ବାର ଦୁର୍ଘଟଣା ସତ୍ତ୍ବେ ଏନଏଚ କର୍ତ୍ତୃପକ୍ଷଙ୍କ ବେଫିକର ଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ଠିକାଦାରଙ୍କୁ କାମ ସାରିବାକୁ ୩ ମାସ ସମୟ ଦିଆଯାଇଛି, ଯଦି କାମ ସମ୍ପୂର୍ଣ୍ଣ ନହୁଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବର୍ଷକ ଭିତରେ ୧୫ ଜୀବନ ଗଲା ପରେ ମଧ୍ଯ କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ଯଦି ୩ ମାସ ମଧ୍ୟରେ କାମ ନସରେ, ତେବେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଲୋକେ ।