ଚୋରି ସନ୍ଦେହରେ ଦୁଇ ଶ୍ରମିକଙ୍କୁ ଭୟଙ୍କର ନିର୍ଯାତନା; ଉଲଗ୍ନ କରି ଇଲେକ୍ଟ୍ରି ସକ୍ ଦେବାସହ ନଖ ଉପାଡ଼ି ଦେଲେ

ନନ୍ଦିଘୋଷ ବ୍ୟୁରୋ: ଚୋରି ସନ୍ଦେହ । ରାକ୍ଷସ ପାଲଟି ଗଲା ମାଲିକ । ସହଯୋଗୀଙ୍କ ସହ ମିଶି ଦୁଇ ଶ୍ରମିକଙ୍କୁ ଏମିତି ନିର୍ଯାତନା ଦେଲା ଯେ, ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ତେବେ କୌଣସି ପ୍ରକାରେ ଶ୍ରମିକ ଦ୍ବୟ ସେମାନଙ୍କ କବଳରୁ ଖସି ଆସି ଥାନାରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି ।

ଘଟଣା ଘଟିଛି ଛତିଶଗଡ଼ କୋର୍ବା ଜିଲ୍ଲାରେ । ସ୍ଥାନୀୟ ଏକ ଆଇସକ୍ରିମ କାରଖାନାର ୨ ଶ୍ରମିକଙ୍କୁ ଦିଆଯାଇଛି ଭୟଙ୍କର ନିର୍ଯାତନା । କାରଖାନାର ମାଲିକ ଓ କିଛି ସହଯୋଗୀ ଚୋରି ସନ୍ଦେହରେ ୨ ଜଣ ଶ୍ରମିକଙ୍କୁ ଦେଇଛନ୍ତି ନିର୍ଯାତନା । ଶ୍ରମିକଙ୍କୁ ଇଲେକ୍ଟ୍ରି ସକ୍ ଦେବା ସହ ସେମାନଙ୍କ ନଖ ଉପାଡି ଦେଇଛନ୍ତି । ଏପରିକି ସେମାନଙ୍କୁ ଉଲଗ୍ନ କରି ଦେଇ ନିର୍ଧୁମ ମାଡ଼ ମରାଯାଇଛି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ଏହି ଘଟଣା ଖବରର ସିରୋନାମା ପାଲଟିଛି ।

ଦୁଇ ପୀଡ଼ିତ ହେଲେ ଅଭିଷେକ ଭାମ୍ବି ଏବଂ ବିନୋଦ ଭାମ୍ବି । ସେମାନେ ରାଜସ୍ଥାନ ଭିଲବାରା ଜିଲ୍ଲାର । ଛତିଶଗଡ଼ ଖପ୍ରଭଟ୍ଟି ଅଞ୍ଚଳର ଏକ ଆଇସକ୍ରିମ କାରଖାନାରେ କାମ କରୁଥିଲେ । କାରଖାନାର ମାଲିକ ଛୁଟୁ ଗୁର୍ଜର ବୋଲି ଜଣାପଡ଼ିଛି । ଗତ ଏପ୍ରିଲ ୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ କଥା ଏବେ ପଦାକୁ ଆସିଛି ।

ଦୁଇ ଶ୍ରମିକ ସେମାନଙ୍କ କବଳରୁ ଖସି ଆସି ଗୁଲାବପୁର ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।