କ୍ଷମତାକୁ ଆସିବା ପରେ ବିଜେପିରେ ବଢୁଛି ଅହଙ୍କାର: ନେତାମାନେ ନିଜ ନିଜ ଭିତରେ ଲଢ଼େଇରେ ବ୍ୟସ୍ତ

ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ବିଜେପିରେ ତୀବ୍ରରୂପ ଧାରଣ କରିଛି ଗୋଷ୍ଠୀ ବିବାଦ। ବଢ଼ିଛି ବିଜେପି ନେତାଙ୍କ ଅହଙ୍କାର। ସାଂସଦ ଓ ବିଧାୟକଙ୍କ ମଧ୍ୟରେ ନାହିଁ ସମନ୍ବୟ। ଲୋକଙ୍କ ସହ ନେତାଙ୍କ ସମ୍ପର୍କ ବି ଦୁର୍ବଳ। ଏହାକୁ ସଜାଡ଼ିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉଭୟ ସାଂସଦ ଓ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଉଦଯାପିତ ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ନଡ୍ଡାଙ୍କ ଏପରି ତାଗିଦକୁ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ କରାଯିବ, ତାହା ଦଳୀୟ ନେତୃତ୍ବକୁ ଚିନ୍ତାରେ ପକାଇଛି। ଏପଟେ ସରକାର ଗଠନକୁ ୧୦ ମାସ ପୂରିଥିଲେ ମଧ୍ୟ, ହୋଇ ପାରୁନି ଦଳର ରାଜ୍ୟ ସଭାପତି ଚୟନ। ଦିଶାହୀନ ଭାବେ ଦଳ ଚାଲୁଥିବାରୁ ଆଶାୟୀଙ୍କ ମନରେ ସୃଷ୍ଟି ହୋଇଛି ଆଶଙ୍କା। ସଭାପତି ଚୟନ ନେଇ ପ୍ରଭାରୀ କହିଛନ୍ତି, ସବୁ କିଛି କେନ୍ଦ୍ର ଉପରେ ନିର୍ଭର କରୁଛି। କେବେ ରାଜ୍ୟ ସଭାପତି ନିର୍ବାଚନ ହେବ, ସେମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ନେତା।

ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ବିଜେପିରେ ସମସ୍ୟା ଅନେକ। ଦଳରେ ଗୋଷ୍ଠୀ ବିବାଦ ଉଗ୍ରରୂପ ଧାରଣ କରିଥିବାରୁ ୧୦ ମାସ ହେଲା ନିଗମ ନିଯୁକ୍ତି ହୋଇପାରୁନି। ଦଳରେ ସ୍ଥାଣୁତା ଲାଗି ରହିଥିବା ବେଳେ, ସରକାର ନିଶ୍ଚଳ ଅବସ୍ଥାରେ ରହିଛି। ନିଗମ, ବୋର୍ଡ ନିଯୁକ୍ତି ନେଇ ଘନ ଘନ ବୈଠକ ବସୁଛି, ବିଚାର ବିମର୍ଷ ବି ଚାଲିଛି। ଏଭଳି ସ୍ଥିତିରେ ଖୁବଶୀଘ୍ର ନିଷ୍ପତ୍ତି ଆସିବ ବୋଲି କହୁଛନ୍ତି ପ୍ରଭାରୀ। ପ୍ରଶିକ୍ଷଣ ଶିବିରରେ ଜନ ପ୍ରତିନିଧିଙ୍କ ଆଚାର ବ୍ୟବହାର ଉପରେ ଆଲୋଚନା କରାଯିବା ସାଙ୍ଗକୁ ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି ବାବଦରେ ଚର୍ଚ୍ଚା ହୋଇଛି। ସେହିପରି ସଠିକ ସମୟରେ ନୂଆ ସଭାପତି ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନମୋହନ ସାମଲ। ସଙ୍ଗଠନ ଭିତରେ ଲାଗି ରହିଛି ପତିଆରା ଲଢ଼େଇ ଓ ଅହଙ୍କାର। ନେତାଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ରାଜ୍ୟ ସଭାପତି ଚୟନ ପଦ୍ମ ଯେପରି ଘୁଞ୍ଚି ଘୁଞ୍ଚି ଚାଲିଛି, ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ସେତିକି ବିଳମ୍ବିତ ହେଉଛି।