ପାଣି ସମସ୍ୟା ପାଇଁ ମିଳୁନି ଝିଅ ; ଅବିବାହିତ ଅବସ୍ଥାରେ ଅଧିକାଂଶ ଯୁବକ

ନବରଙ୍ଗପୁର: ପାଣି ନାହିଁ ତ ଝିଅ ନାହିଁ । ଏପରି କିଛି ସମସ୍ୟା ସହ ଜୀବନ କାଟୁଛନ୍ତି ପାପଡାହାଣ୍ଡି ବ୍ଲକର ବଡବାର୍ଲି ଗାଁ’ର ଯୁବଗୋଷ୍ଠୀ । ଗାଁରେ ପାଣି ସମସ୍ୟା ଏତେ ମାତ୍ରାରେ ଉତ୍କଟ ରୂପ ଧାରଣ କରିଛି ଯେ ଗାଁକୁ ବୋହୂ ମିଳୁନି । ବର୍ତ୍ତମାନସୁଦ୍ଧା ଗାଁରେ ୫୦ରୁ ଅଧିକ ଯୁବକ ଅବିବାହିତ ରହିଛନ୍ତି । ଏମିତିକି ପାଣି କସରତ ପାଇଁ ବିବାହ କରିବା ପରେ ସ୍ତ୍ରୀ ଛାଡିକି ଚାଲି ଯାଉଥିବା ଅଭିଯୋଗ ହୋଇଛି ।
ପାଣି ସମସ୍ୟା ପାଇଁ ମିଳୁନି ଝିଅ । ଅବିବାହିତ ଅବସ୍ଥାରେ ଅଧିକାଂଶ ଯୁବକ । ଏକଥା ଅଜବ ଲାଗୁଥିଲେ ମଧ୍ୟ ସତ । ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ପାଣି ଟାଙ୍କି । ଘରକୁ ଘର ବିଛାଯାଇଛି ପାଇପ । ହେଲେ ଆଜିଯାଏଁ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନି । ଯେଉଁ ତିନୋଟି ନଳକୂପ ରହିଛି ତାହା ଅଚଳ ହୋଇପଡିଛି । ଏମିତିକି ବିଦ୍ୟାଳୟ ପରିସରରେ ଥିବା ନଳକୂପ ଶିକୁଳି ସାହାଯ୍ୟରେ ବନ୍ଧା ହୋଇପଡିଛି । ଏଭଳି ସ୍ଥିତିରେ ଜଳକଷ୍ଟ ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅନ୍ତର୍ଗତ ବଡବାର୍ଲି ଗାଁ ଲୋକେ । ଗାଁରେ ୨୧୮ଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ପାନୀୟ ଜଳ ସମସ୍ୟା ଗ୍ରାମବାସୀଙ୍କ ପାଇଁ ଏବେ ଅଭିଶାପ ପାଲଟିଯାଇଛି । ଯାହାର ସିଧାସଳଖ ପ୍ରଭାବ ଗାଁର ଯୁବକଙ୍କ ବିବାହ ଉପରେ ପଡୁଛି । ଗାଁ ନାଁ ଶୁଣିଲେ ହିଁ ଭାଙ୍ଗିଯାଉଛି ବାହାଘର । ଯଦି କୌଣସି କାରଣରୁ ବାହାଘର ହୋଇଯାଉଛି ତାହା ମଧ୍ୟ ଅଧିକ ଦିନ ତିଷ୍ଠିପାରୁନି । ଶାଶୁଘର ଛାଡି ବାପଘରକୁ ବୋହୂ ଫେରିଯାଉଥିବା ନେଇ ଅଭିଯୋଗ ହୋଇଛି ।
ଲୋକଙ୍କ ଭରସା ପାଲଟିଛି ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପାହାଡି ଝରଣା । ଝରଣା ପାଣିକୁ ପାଇପ ଲଗାଇ ଦୀର୍ଘ ଦିନ ହେଲା ଲୋକେ ସଂଗ୍ରହ କରି ଚଳୁଛନ୍ତି । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନ ଓ ନେତାଙ୍କ ନିକଟରେ ଜଣାଇଥିଲେ ବି ଫଳ ଶୂନ । ବାଧ୍ୟ ହୋଇ ଏବେ ଆନ୍ଦୋଳକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅପରପକ୍ଷେ ଗାଁକୁ ଏବେଠାରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ଏବଂ ୧୫ ତାରିଖ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି ।