ପାରାଦୀପରେ ପ୍ରକଳ୍ପ ଲାଗି IOCL ସହ ଚୁକ୍ତି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ପୂର୍ବ ସରକାର କରିଥିଲେ ଯୋଜନା । ହେଲେ ନାଁ ପରିବର୍ତ୍ତନ ଓ ରଙ୍ଗ ବଦଳାଇ ବାହାବା ନେଉଛି ବିଜେପି ସରକାର । ଯାହାର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗତ ଏପ୍ରିଲ ୮ ତାରିଖରେ ଆଇଓସିଏଲ ସହ ମୁଖ୍ୟମନ୍ତ୍ରୀ କରିଥିବା ଚୁକ୍ତି ଏହାର ସଦ୍ୟତମ ପ୍ରମାଣ । ପାରାଦୀପରେ ଆଇଓସିଏଲ ନାଫତା କ୍ରାକର ୟୁନିଟ୍ ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ରାଜ୍ୟ ସରକାର ଏଥିପାଇଁ କି କି ସୁବିଧା ସୁଯୋଗ ପ୍ରଦାନ କରିବେ ତାର ଘୋଷଣା ମଧ୍ୟ କରିଥିଲେ । ଏବେ କିନ୍ତୁ ବିଜେପି ସରକାର ପୂରୁଣା ପ୍ରକଳ୍ପ ପାଇଁ ପୁଣି ଥରେ ଏମଓୟୁ କରି ବାହାଦୂରୀ ନେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।
ପୂରୁଣା ପ୍ରକଳ୍ପରେ ପୁଣି ରଙ୍ଗ ମାରିଲା ବିଜେପି ସରକାର । ନବୀନଙ୍କ ଅମଳରେ ଆରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ଆଉ ଥରେ ଏମଓୟୁ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡିର କଟାକ୍ଷ, ଯଦି ନୂଆ ପ୍ରକଳ୍ପ ନାହିଁ, ପୂର୍ବ ଯୋଜନାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରନ୍ତୁ । ବିଏସକେୱାଇଠାରୁ ଆରମ୍ଭ କରି ଆଇଓସିଏଲର ନାଫତା କ୍ରାକର ୟୁନିଟ୍ । ସବୁ କିଛି ହୋଇଥିଲା ନବୀନ ପଟ୍ଟନାୟକଙ୍କ ସରକାରରେ । ଏସବୁ ଯୋଜନାର ନାଁ ଓ ରଙ୍ଗ ବଦଳାଇ ବାଦାଦୂରୀ ନେବାକୁ ଚେଷ୍ଟା କରୁଛନ୍ତି ଡବଲ ଇଞ୍ଜିନ ସରକାର ।
୨୦୧୮ ଜାନୁଆରୀ ୧୧ ତାରିଖରେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାରାଦୀପରେ ଆଇଓସିଏଲ ନାଫତା କ୍ରାକର ୟୁନିଟ ପାଇଁ ଚିଠି ଲେଖିଥିଲେ । ୨୦୧୯ ଏପ୍ରିଲରେ ଆଇଓସିଏଲ ପାରାଦୀପ ରିଫାଇନାରୀର କ୍ଷମତା ୧୫ ନିୟୁତ ଟନରୁ ୨୫ ନିୟୁତ ଟନ୍ କରିବା ସହ ନାଫତା କ୍ରାକର ୟୁନିଟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ସହ ୨୦୨୩ରେ ପ୍ରକଳ୍ପ ପାଇଁ ସୁବିଧା ସୁଯୋଗ ବାବଦରେ ଘୋଷଣା କରିଥିଲେ ।
୨୦୦୦ ମସିହାରୁ ନବୀନ ପଟ୍ଟନାୟକ ରାଜ୍ୟରେ ଶିଳ୍ପାୟନର ଅଭିବୃଦ୍ଧି ଲାଗି ଏକାଧିକ ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲେ । ସେଥିମଧ୍ୟରୁ ବହୁ ପ୍ରକଳ୍ପ ଏହାରି ଭିତରେ କାର୍ଯ୍ୟକ୍ଷମ ହୋଇସାରିଛି । ତେଣୁ ନୂଆ ସରକାର ପୂରୁଣା ପ୍ରକଳ୍ପ ପାଇଁ ପୁଣି ଥରେ ଏମଓୟୁ କରିବା ବଦଳରେ ପୂର୍ବ ପ୍ରକଳ୍ପର ଅଗ୍ରଗତି ନେଇ ଯୋଜନା କରନ୍ତୁ ବୋଲି କହିଛନ୍ତି ସନ୍ତୃପ୍ତ ମିଶ୍ର ।
ସରକାର ବଦଳିବା ପରେ ନୂଆ ସରକାର କେବଳ ଗୋଟିଏ ପରେ ଗୋଟିଏ ଯୋଜନାର ନାଁ ଓ ରଙ୍ଗ ବଦଳାଇ ଚାଲିଛନ୍ତି । ବିଏସକେୱାଇ, ମୋ ବସ, ମୋ ସ୍କୁଲ ଭଳି ୪୦ଟି ଲୋକାଭିମୁଖୀ ଯୋଜନାର ନାଁ ବଦଳାଇ ନିଜସ୍ବ ଯୋଜନା କହି ବାହାଦୂରୀ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।