ମାଟି ଚୋରି କରୁଥିଲେ ମାଫିଆ : ବିରୋଧ କରିବାରୁ ଖଣ୍ଡାରେ ହାଣି କଲେ ଲହୁଲୁହାଣ

ନନ୍ଦିଘୋଷ ବ୍ୟୁରୋ : ରାତି ଅଧରେ ସରକାରୀ ଜାଗାରୁ ମାଟି ଚୋରି କରୁଥିଲେ । ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ମାଟି ମାଫିଆ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଂଚଳରେ ବର୍ବରତାର ସୀମା ଟପି ଯାଇଛନ୍ତି ମାଟି ମାଫିଆ । ଗୁରୁତର ଅବସ୍ଥାରେ ୩ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ୍ ପରେ ଏମ୍ସ ଏବଂ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୋମବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ବାଲିଅନ୍ତା ତହସିଲ୍ ଅଧିନ ଜିତିକାଲସୁଆଁଲୋ ଗାଁରେ ଥିବା ଗୋଚର ଜମିରୁ ମାଟି ମାଫିଆ ମାଟି ଚୋରି କରୁଥିଲେ । ଏହି ଖବର ନିକଟସ୍ଥ ଗଡ଼ଭିଙ୍ଗାରପୁର ଗାଁର କିଛି ଯୁବକ ପାଇଥିଲେ । ତୁରନ୍ତ ଯୁବକ ମାନେ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ । ସେତେବେଳେ ୨ଟି ଜେସିବି ମେସିନ ଯୋଗେ ହାଇୱା ଟ୍ରକ୍ ରେ ଲୋଡ କରାଯାଇ ମାଟି ଚୋରି ହେଉଥିଲା । ଯୁବକ ମାନେ ଏହାକୁ ବିରୋଧ କରିବାରୁ ସେଠାରେ ଉପସ୍ଥିତ ମାଟି ମାଫିଆ ମାନେ ଗାଳି ଗୁଲଜ କରି ମାଡ଼ ମାରିଥିଲେ ।
ପରେ ପ୍ରାୟ ୨୦ ଜଣ ମାଟି ମାଫିଆ ଏବଂ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଁଞ୍ଚି ଲୁହା ରଡରେ ମାଡ ମାରିବା ସହ ଖଣ୍ଡାରେ ହାଣି ପକାଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡି ଯାଇଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଗୁରୁତର ୩ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ । ଆକ୍ରମଣକାରୀ ୪ ଜଣ ଯୁବକଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ । ଏହା ସହ ଆକ୍ରମଣକାରୀଙ୍କ ଦୁଇଟି ମଟରସାଇକେଲକୁ ଅଟକ ରଖିଥିଲେ ଗ୍ରାମବାସୀ ।