କଟକ ମହାନଦୀ ପଠାରେ ବାଲିଯାତ୍ରାର ଭ୍ରମ: ଉଦଘାଟିତ ହେଲା ୨୧ତମ ବୈଶାଖୀ ବାଣିଜ୍ୟ ମେଳା

କଟକ: କଟକ ମହାନଦୀ ପଠାରେ ବାଲିଯାତ୍ରାର ଭ୍ରମ । ଆୟୋଜିତ ହୋଇଛି ଚଳିତ ବର୍ଷର ପ୍ରଥମ ମେଳା । ଉଦଘାଟିତ ହେଲା ୨୧ ତମ ବୈଶାଖୀ ବାଣିଜ୍ୟ ମେଳା । ପ୍ରତିବର୍ଷ ପିଲାଙ୍କ ବାର୍ଷିକ ପରୀକ୍ଷା ପରେ ପରେ ଲାଗୁଥିବା ଏହି ମେଳାରେ ଏଥର ୧୦ ଟି ବିଦେଶୀ ରାଷ୍ଟ୍ରର ବ୍ୟବସାୟୀ ସାମିଲ ହୋଇଛନ୍ତି । ସେମାନଙ୍କ ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ଏସି ଷ୍ଟଲ କରାଯାଇଛି । ଏହାଛଡା ଆମ ଦେଶର ୨୨ଟି ରାଜ୍ୟର ବ୍ୟବସାୟୀ ସେମାନଙ୍କ ସାମଗ୍ରୀ ବିକ୍ରିର କରୁଛନ୍ତି । ଏଥିପାଇଁ ଚଳିତବର୍ଷ ୬୮୫ଟି ଷ୍ଟଲ ଖୋଲାଯାଇଥିବାବେଳେ ଏହା ୧୧ ଦିନ ଧରି ଚାଲିବ ।
କେବଳ କିଣାବିକା ନୁହେଁ ବରଂ ସନ୍ଧ୍ୟାରେ ମେଳାକୁ ଆସୁଥିବା ଦର୍ଶକଙ୍କ ପାଇଁ ସୁସ୍ବାଦୁ ଖାଦ୍ୟର ଷ୍ଟଲ ସବୁ ଲାଗିଛି । ଏହାସହ ଛୋଟ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଦୋଳି ଓ ଖେଳକୁଦ ପାଇଁ ବ୍ୟବସ୍ଥା କରାଯାଇଛି । ଖରା ହେଉଥିବାରୁ ଅପରାହ୍ନ ୫ ରୁ ରାତି ୧୧ଟା ପର୍ଯ୍ୟନ୍ତ ଲୋକମାନେ ମେଳାକୁ ଆସି ଉପଭୋଗ କରିପାରିବେ ବୋଲି ଆୟୋଜକମାନେ ଆଶା ରଖିଛନ୍ତି । ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଅଂଚଳର ଜଣାଶୁଣା କଳାକାରଙ୍କ ଦ୍ବାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।