କାହା ନିର୍ଦ୍ଦେଶରେ ଗୃହରେ ପଶି ପୋଲିସର ଦମନଲୀଳା ?

ନନ୍ଦିଘୋଷ ବ୍ୟୁରୋ: ଗୃହରେ ପୋଲିସ ପ୍ରବେଶ କରିଥିବାରୁ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ। ବିବୃତି ଦାବି କରି ସେମାନେ କକ୍ଷତ୍ୟାଗ କରିଥିଲେ। ପରେ ବିବୃତି ରଖିବାକୁ ରାଜି ହୋଇଥିଲେ ବାଚସ୍ପତି। ବିଜେଡି ସଦସ୍ୟଙ୍କୁ ଗୃହ ଭିତରକୁ ଫେରାଇ ଆଣିବାକୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କୁ ପଠାଇଥିଲେ। ଗତକାଲିର ଘଟଣାରେ ଗୃହରେ ବିବୃତି ରଖି ବାଚସ୍ପତି କହିଥିଲେ, ୭ ମାର୍ଚ୍ଚ ୨୦୨୫ରୁ ୨୫ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବିରୋଧୀ ଦଳର କିଛି ସଦସ୍ୟ ହଟ୍ଟଗୋଳ କରିବାରୁ ବିଧାନସଭା ଚାଲିପାରୁନାହିଁ। ଜାଣଶୁଣି ଗୃହକୁ ବନ୍ଦ କରୁଥିଲେ ସେମାନେ। ଗୃହ ସମସ୍ତଙ୍କର । ବିଶୃଙ୍ଖଳା ଆଚରଣ ଯୋଗୁଁ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପରେ ମଧ୍ୟ ବିଧାୟକମାନେ ଗୃହ ଛାଡ଼ି ନ ଥିଲେ। ବିଧାୟକଙ୍କ ସୁରକ୍ଷା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି ।
ନିଲମ୍ବିତ ବିଧାୟକମାନେ ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ମାଡ ମାରିଥିଲେ ବୋଲି କହିଥିଲେ ବାଚସ୍ପତି। ବାଚସ୍ପତିଙ୍କ ବିବୃତି ଉପରେ ମତ ରଖି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କାଲି ଯାହା ହେଲା, ତାହା ଗଣମାଧ୍ୟମରେ ପ୍ରସାରିତ ହୋଇଛି। କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଛନ୍ତି, ସେମାନଙ୍କ ପ୍ରତି ଅତି କଦର୍ଯ୍ୟ ବ୍ୟବହାର କରାଯାଇଛି। ଆଜି ବିଜେଡି ବିଧାୟକମାନେ ପ୍ରତିବାଦ କରି ବାହାରକୁ ଯାଇ ସମ୍ବିଧାନର ପ୍ରଣେତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ ଯାଉଥିଲେ। ହେଲେ ଗେଟ୍ ରେ ପୋଲିସ ଆମକୁ ଅଟକାଇଥିଲା, ଛାଡ଼ି ନ ଥିଲା । କିପରି ପ୍ରଶାସନ ଚାଲିଛି। ପୋଲିସ କାହିଁକି ବିଜେଡି ବିଧାୟକଙ୍କୁ ଅଟକାଇଲା, ବାଚସ୍ପତି ତାର ଉତ୍ତର ଦେଲେ ନାହିଁ। ବାଚସ୍ପତିଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରି ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।