ଗତ ୮ ମାସରେ ଖୋଲା ବଜାରରୁ ୨ ହଜାର କୋଟି ଋଣ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ଠାରୁ ୭ହଜାର ୧୪୯ କୋଟି ୫୬ ଲକ୍ଷ ଟଙ୍କା ଋଣ ଆହରଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଆହରଣ କରିଥିବା ଏହି ଋଣ ମଧ୍ୟରୁ ମୁଖ୍ୟତଃ SASCI ସ୍କିମରେ ୫୦ ବର୍ଷୀୟ ସୁଧମୁକ୍ତ ଋଣ ବାବଦକୁ ୮୧୯ କୋଟି ଟଙ୍କା ଋଣ ଅନ୍ତର୍ଭୁକ୍ତ । ଫେବୃଆରୀ ୨୦୨୫ ଶେଷ ସୁଦ୍ଧା ଖୋଲା ବଜାରରୁ ଆହରଣ କରିଥିବା ଋଣର ସୁଧ ଦେୟ ହାରାହାରି ୭ ପ୍ରତିଶତ ରହୁଛି । ଋଣ ବାବଦରେ ଆହରଣ କରାଯାଇଥିବା ଏହି ଧନରାଶିକୁ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ବିନିଯୋଗ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ଇତ୍ୟାଦି ବିକାଶମୂଳକ ପ୍ରକଳ୍ପରେ ବିନିଯୋଗ କରାଯାଉଅଛି ବୋଲି ଗୃହରେ ମୁଖ୍ଯମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସୁଧ ହାର କେତେ ରହିବ ଆରବିଆଇ ମୁଦ୍ରାନୀତି କମିଟି ନିର୍ଦ୍ଧାରଣ କରିଥାନ୍ତି । ଦରଦାମ ହ୍ରାସ ଓ ବୃଦ୍ଧି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖୁଛନ୍ତି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ  ଲିଖିତ ଉତ୍ତର ରଖିଛନ୍ତି ।