ବିଜେଡି ସରକାରରେ ସଶକ୍ତ, ବିଜେପି ସରକାରରେ କୋମା…

ଭୁବନେଶ୍ବର: ବିଜେଡ଼ି ସରକାରରେ ସଶକ୍ତ ଓରେରା ବିଜେପି ସରକାରରେ କୋମା ଅବସ୍ଥାରେ । ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବାକୁ କେନ୍ଦ୍ରୀୟ ଆଇନ ରେରା ଓଡ଼ିଶା କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ଥିଲା । ହେଲେ ଏବେ ଓରେରାରେ କେହି ଅଧ୍ୟକ୍ଷ ନାହାନ୍ତି, ସରକାର କାହାକୁ କାମଚଳା ଅଧ୍ୟକ୍ଷ ବି କରିନାହାନ୍ତି । ଅଧ୍ୟକ୍ଷଙ୍କ ବିନା ରେରା କୋର୍ଟ ଅଚଳ ହୋଇପଡ଼ିଛି । ପୁଣି ଓରେରାରେ ସଚିବ ନିଯୁକ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ସରକାରଙ୍କ ଆନ୍ତରିକତାର ଅଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରିଏଲ ଇଷ୍ଟେଟ ରେଗୁଲେଟୋରୀ ଆକ୍ଟ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଆଗୁଆ ଥିବା ବେଳେ ଏବେ ଏହା ଅଚଳ ଅବସ୍ଥାରେ । ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ପଦ ଛାଡ଼ିବା ପରେ କାହାକୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇନାହାନ୍ତି ରାଜ୍ୟ ସରକାର । ସିଦ୍ଧାନ୍ତ ଦାସ ପଦ ଛାଡ଼ିବା ପାଇଁ ୩ ମାସ ତଳୁ ନୋଟିସ ଦେଇଥିଲେ ବି ସରକାର ନୂଆ ଅଧ୍ୟକ୍ଷ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ନାହିଁ । ନୂଆ ଅଧ୍ୟକ୍ଷ ଚୟନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି, ଯେଉଁଥିରେ ନଗର ଉନ୍ନୟନ ସଚିବ ଆବାହକ ଓ ଆଇନ ସଚିବ ସଦସ୍ୟ ଅଛନ୍ତି । ଅଧ୍ୟକ୍ଷ ନିଯୁକ୍ତ ପ୍ରକ୍ରିୟା ସାରିବାକୁ ସର୍ବନିମ୍ନ ୪ ମାସ ସମୟ ଲାଗିବ । ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ସହ କ୍ରେତାଙ୍କୁ ସଶକ୍ତ କରିବାକୁ ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ହୋଇଛି । ଏପରିକି ଜଣେ କାମଚଳା ଅଧ୍ୟକ୍ଷ ନିଯୁକ୍ତି ଦେବାକୁ ବି ସରକାର ଉଚିତ ମନେ କରିନାହାନ୍ତି ।

ଓରେରା କୋର୍ଟରେ ଅଧ୍ୟକ୍ଷ ନଥିଲେ ରେରାର କୌଣସି ମିଟିଂ ସମ୍ଭବ ନୁହେଁ । ବିଲଡ଼ରମାନେ ମଧ୍ୟ ପ୍ରକଳ୍ପ ପଞ୍ଜୀକରଣ କରିପାରିବେ ନାହିଁ । ଠକାମିର ଶିକାର କ୍ରେତାମାନେ ମଧ୍ୟ କୌଣସି ମାମଲା ରୁଜୁ କରିପାରିବେ ନାହିଁ । ରେରାରେ ଏପରି ଅଚଳବସ୍ଥା ଥିବା ବେଳେ ଓରେରା ସଚିବ ନିଯୁକ୍ତି ବି ବିବାଦ ଘେରରେ । ଜାନୁଆରୀ ୨୨ରେ ଓରେରାରେ ଖାଲିଥିବା ସଚିବ ପଦବୀ ଓ ୪ ବର୍ଷ ହେଲା ଯୁଗ୍ମ ସଚିବ ପଦବୀରେ ଜଣେ ଥିବାରୁ ଏହି ଦୁଇଟି ପଦ ପାଇଁ ଅଫିସର ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲେ ନଗର ଉନ୍ନୟନ ସଚିବ । ୩ ବର୍ଷରୁ ଅଧିକ ଜଣେ ଗୋଟିଏ ପଦବୀରେ ରହିବାର ବ୍ୟବସ୍ଥା ନଥିବାରୁ ଯୁଗ୍ମ ସଚିବଙ୍କୁ ବି ବଦଳି କରିବାକୁ ସୁପାରିଶ କରିଥିଲେ ବିଭାଗୀୟ ସଚିବ । ହେଲେ ନଗର ଉନ୍ନୟନ ସଚିବଙ୍କ ସୁପାରିଶକୁ ଅଣଦେଖା କରି ୪ ବର୍ଷ ହେଲା ଯୁଗ୍ମ ସଚିବ ପଦବୀରେ ଥିବା ଅଧିକାରୀଙ୍କୁ ସଚିବ ପଦରେ ବସାଇ ଦେଲେ ସରକାର । ଏହା କାହା ସ୍ବାର୍ଥରେ ହୋଇଛି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ଆଇନର ଫାଶରେ ଛନ୍ଦି ହୋଇଥିବା ଯୋଗୁଁ ଆପାର୍ଟମେଣ୍ଟ କିଣାବିକା ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ରହିଛି । ପାର୍ଟ ପ୍ଲଟ ନେଇ ବି କିଛି ବାଟ ଫିଟୁନାହିଁ । ଏନେଇ ସରକାରଙ୍କ ଆନ୍ତରିକତାର ଅଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।