ଜଙ୍ଗଲ ଭିତରେ ଯୋଜନା ଲୁଟ୍, ଡ୍ରେନେଜ କାମ ନାଁରେ ଖୋଲା ଦୁର୍ନୀତି
1 min read
ଉଦଳା : ପୁରୁଣା ଡ୍ରେନର କାନ୍ଥକୁ ନୂଆ ଯୋଜନାରେ କରାଯାଇଛି ସାମିଲ। ଦେଖନ୍ତୁ ଏହି ପୋଖରୀ, ଏହି ଠାରୁ ପାଣି ଯିବ କେନାଲକୁ ଆଉ ଚାଷୀ ହେବେ ଉପକୃତ । ହେଲେ ପୋଖରୀରେ ପାଣି ରହୁ ନଥିବା ବେଳେ ପୋଖରୀ ଆଉ ଚାଷୀଙ୍କୁ ଦେଖାଇ ଡ୍ରେନେଜ କାମ ନାଁରେ ଚାଲିଛି ଖୋଲା ଦୁର୍ନୀତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରୁ । ଶରତ କାଦବାହାଳୀ ଗାଁ ନିକଟରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଚାଲିଛି କେନାଲ କାମ । ଯାହାକି ୮୮ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ତିଆରି ଚାଲିଛି । ହେଲେ ଏହି କାମରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଠିକାଦାର ନିଜର ମନମାନିରେ କାମ କରୁଥିବା ବେଳେ ଡ୍ରେନ ପାଇଁ ପଡୁଥିବା କଂକ୍ରିଟ ଅତି ନିମ୍ନମାନର । ଯାହାକି ହାତ ମାରିଲେ ଉଠିଯିବା ସହିତ କେବଳ ବାଲି ଏବଂ ଅଳ୍ପ ସିମେଣ୍ଟରେ ନିର୍ମାଣ ହେଉଛି ଡ୍ରେନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଏହି ଦୁର୍ନୀତି ଖୋଲାଖୋଲି ହେଉଥିବା ବେଳେ ଚୁପ ରହୁଛନ୍ତି ଅଧିକାରୀ । ଅନ୍ଯପଟେ ଘଟଣା ସଂପର୍କରେ ବୁଝିବାକୁ ନନ୍ଦିଘୋଷ ଟିଭି ପ୍ରତିନିଧି କ୍ଷୁଦ୍ର ଜଳସେଚନ ବିଭାଗ ଜେଇ ଏବଂ ଏସଡିଓଙ୍କ ନିକଟରେ ପହଞ୍ଚିଥିଲେ । ହେଲେ ସେମାନେ କ୍ଯାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଲେନାହିଁ । ଏଠି ପ୍ରଶ୍ନ ଉଠୁଛି- ଦୁର୍ନୀତି ସମ୍ବନ୍ଧରେ ଅଧିକାରୀ ମୁହଁ ଖୋଲୁ ନାହାଁନ୍ତି କାହିଁକି ? ଠିକାଦାରଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଉନାହାଁନ୍ତି କଣ ପାଇଁ ? ନା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ହରିଲୁଟ ? ଯାହାର ତଦନ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।