ଉଠା ଦୋକାନୀଙ୍କ କବଜାରେ କୋରାପୁଟ ସହର ରାସ୍ତା

ଜୟପୁର ; ରାସ୍ତାକଡ଼ରେ ପଡ଼ିଛି ହାଟ । ହେଲେ ନିୟମିତ ବଜାର ଖାଁ ଖାଁ । ପରିବା ଠାରୁ ଆରମ୍ଭ କରି ଆମିଷ, ସବୁ ମିଳୁଛି ରାସ୍ତା କଡ଼ରେ । ଉଠା ଦୋକାନୀଙ୍କ କବଜାରେ କୋରାପୁଟ ସହର ରାସ୍ତା । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଲୋକ ସହରକୁ ଆସିଥାନ୍ତି । ହେଲେ ସହରର ମୁଖ୍ଯ ରାସ୍ତା ଏହି ଉଠା ଦୋକାନୀଙ୍କ ଯୋଗୁଁ ଶଙ୍କୁଚିତ ହେବାରେ ଲାଗିଛି । ଫଳରେ ଗାଡି ଯିବା ତ ଦୂରର କଥା ଚାଲିଚାଲି ଯିବା ବି କଷ୍ଟକର ହେଉଛି । ଭିଡ଼ ଯୋଗୁଁ ନୟାନ୍ତ ହେଉଛନ୍ତି ଟ୍ରାଫିକ କର୍ମଚାରୀ । କୋରାପୁଟ ଜିଲ୍ଲା ଚାଷ ପାଇଁ ଉପଯୋଗୀ ଥିବାରୁ ଅନେକ ଚାଷୀ ବିଭିନ୍ନ ପନିପରିବା ଉତ୍ପାଦନ କରନ୍ତି । ହେଲେ ବଜାର ସୁବିଧା ନଥିବାରୁ ସକାଳୁ ସକାଳୁ ରାସ୍ତା କଡ଼ରେ ବସି ବିକ୍ରି କରୁଥିବା କହିଛନ୍ତି । ଛୋଟ ବ୍ଯବସାୟ ପାଇଁ ହାଟପଦା ନାମକ ଏକ ନିୟମିତ ବଜାର ଥିଲେ ବି ତାକୁ କିଛି ମୁଷ୍ଟିମେୟ ବ୍ଯକ୍ତି ଓ ବ୍ଯବସାୟୀ ଅକ୍ତିଆର କରି ରଖିଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ତେଣୁ ଉଠାଦୋକାନୀଙ୍କ ସ୍ଥାୟୀ ପ୍ରତିକାର ନକଲେ କୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିପାରେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସହର ମଧ୍ଯରେ ଥିବା ଏହି ଜାତୀୟ ରାଜପଥରେ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରେ । ତେଣୁ ଅନେକ ସମୟରେ ପ୍ରଶାସନ ଦୋକାନୀଙ୍କୁ ଉଠାଇ ନିଏ । କିନ୍ତୁ ପିଣ୍ଡି ନଥିବାରୁ ପୁଣି ଥରେ ସେମାନେ ରାସ୍ତାକଡ଼କୁ ଚାଲି ଆସନ୍ତି । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, ଖୁବଶିଘ୍ର ନିୟମିତ ପରିବା ବଜାର କରାଯାଇ ଉଠା ଦୋକାନୀଙ୍କ ଥଇଥାନ ପାଇଁ ବ୍ଯବସ୍ଥା କରାଯିବ । ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟର ଏକ ସ୍ବତନ୍ତ୍ର ସ୍ଥାନ ରହିଥିବାରୁ ଏହାକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।