ଦିନକୁ ଦିନ ବିଗିଡିବାରେ ଲାଗିଛି ରାଉରକେଲାର ଆଇନଶୃଙ୍ଖଳା

ରାଉରକେଲା : ଅଶାନ୍ତ ହେବାରେ ଲାଗିଛି ଶାନ୍ତ ସହର । ଦିନକୁ ଦିନ ବିଗୁଡୁଛି ରାଉରକେଲା ଆଇନଶୃଙ୍ଖଳା । ପୁଣି ସହରରେ ଫୁଟିଛି ଗୁଳି । ପୋଲିସର କାର୍ଯ୍ଯାନୁଷ୍ଠାନ ନେଇ ତେଜୁଛି ଅସନ୍ତୋଷ । ରାଉରକେଲା ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଘଟିଛି ଗୁଳିକାଣ୍ଡ । ଗୁଳି ମାଡ଼ରେ ବିଜୟ କୁମାର ଲାକ୍ରା ଗୁରୁତର ଆହତ ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କାରରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳିମାଡ ପରେ କାର ପାଚେରୀରେ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଲିଘାଟ ବ୍ୟବସାୟକୁ କେନ୍ଦ୍ରକରି ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁଳି ମାଡ଼ ପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ ଲାଗୁଥିବା କହିଛନ୍ତି ଲୋକେ ।
ଅତିରିକ୍ତ ଏସପି, ଡିଏସପିଙ୍କ ସହ ସେକ୍ଟର ୩ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରାଉରକେଲା ସହରରେ ଗତ କିଛିମାସ ହେଲା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଓ ଟିକେ ଟିକେ ଟିକେ କଥାରେ ଗୁଳିମାଡ ହେଉଥିବାରୁ ସହରବାସୀ ଭୟଭୀତ ହୋଇ ପଡିଥିବା କହିଛନ୍ତି । ଡଵଲ ଇଞ୍ଜିନ ସରକାର ଆସିବା ପରେ ଗତ କିଛି ମାସ ଭିତରେ ଶାନ୍ତ ସହର ରାଉରକେଲା ଅଶାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ସାଧାରଣ ଜନତା । ବାଲିଘାଟ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଅଭିଯୋଗ ହେବା ପରେ କିଛି ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରୁଛି ପୋଲିସ୍ ।