କେନାଲ ପାଣିକୁ ନେଇ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡର ଚାଷୀଙ୍କ ମଧ୍ୟରେ ତେଜୁଛି ବିବାଦ

ଗଜପତି : ଶୁଖିଯିବାକୁ ବସିଛି ଚିରସ୍ରୋତା ମହେନ୍ଦ୍ର ତନୟା ନଦୀ । ଚଳିତ ଗ୍ରୀଷ୍ମ ରୁତୁ ଆରମ୍ଭରୁ ତଳମୁଣ୍ଡର ଜଳ ସ୍ତର କମି କମିଯାଉଛି । ଜଳ ସେଚନ ସମସ୍ୟାକୁ ନେଇ ପରିବା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଅଗରଖଣ୍ଡି, କେରାଣ୍ଡି , ଉପଲଡ଼ା, ଖରସଣ୍ଡା, ମଧୁସୂଦନପୁର, ବାଘସାଳା ଓ, କତଲକଇଠା ଆଦି ପଞ୍ଚାୟତରେ  ଶହ ଶହ ହେକ୍ଟର ପରିବା ଚାଷ ପାଇଁ ଜଳସେଚନର ସମସ୍ୟା ଦେଖାଦେଇଛି । ବାଟଶିରିପୁର ଠାରେ ଥିବା ନିକଟରୁ ନଦୀ ଜଳକୁ ସମ୍ପୂର୍ଣ୍ଣ ଅଟକାଇ ଉପର ମୁଣ୍ଡରେ ଧାନଚାଷ ପାଇଁ ଛାଡ଼ି ଦିଆଯାଇଛି । ଫଳରେ ତଳମୁଣ୍ଡରେ ଉଠା ଜଳସେଚନ ପ୍ରକଳ୍ପକୁ ପାଣି ପାଉନାହିଁ । ଆନିକଟର ବଳକା ପାଣି ନଦୀ ଦେଇ ଆନ୍ଧ୍ରକୁ ବହିଯାଉଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ନଦୀରେ ଜଳସ୍ତର କମିଗଲାଣି । ଆଗକୁ ଆହୁରି ଖରା ବଢ଼ିବା ସମ୍ଭାବନା ରହିଛି । ଜଳ ସମସ୍ୟାକୁ ନେଇ ବିବାଦ ଉଙ୍କି ମାରିଛି ।

ଜଳ ସଂକଟକୁ ଏଡ଼ାଇବା ପାଇଁ ନଦୀରେ ଆଡ଼ିବନ୍ଧ କରି ଜଳକୁ ଗୋଷାଣି ଓ ରାୟଗଡ ବ୍ଳକ ସମେତ ପାରଳାଖେମୁଣ୍ଡି ସହରକୁ ଯୋଗାଣ କରୁଛି ଜନସ୍ୱାସ୍ଥ୍ୟ ବିଭାଗ। ବିଗତ ବର୍ଷ ନଦୀ ଶୁଖିଯିବା ଫଳରେ ଜଳ ଯୋଗାଣ ପ୍ରକିୟା ବାଧା ପ୍ରାପ୍ତ ହୋଇଥିଲା। । ରବି ଋତୁରେ କିଛି ବର୍ଷ ହେଲା ବାଟସିରିପୁର ଆନିକଟରୁ ଉପର ମୁଣ୍ଡରେ ପ୍ରାୟ ୬୦୦ ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଫସଲ କରି ଜଳସେଚନ କରୁଛନ୍ତି ଚାଷୀ । ଫଳରେ ତଳମୁଣ୍ଡରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି।  କେନାଲ ପାଣିକୁ ନେଇ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡର ଚାଷୀଙ୍କ ମଧ୍ୟରେ ବାରମ୍ବାର ବୁଝାମଣା ସତ୍ତ୍ୱେ ବିବାଦ ତେଜୁଛି। ସମାଧାନ ପାଇଁ ହସ୍ତକ୍ଷେପ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପର ଓ ତଳମୁଣ୍ଡର ଚାଷୀ ଓ ଜନ ପ୍ରତିନିଧିଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା କରିଛି ପ୍ରଶାସନ। ଜଳ ସଙ୍କଟ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। କଥାରେ ଅଛି, ବେଳେ ଥାଉଣୁ ହିଡ଼ ବାନ୍ଧିବା ନୀତିରେ ଜଳ ସଙ୍କଟ ପରିସ୍ଥିତି ଉପୁଜିବା ପୂର୍ବରୁ ମହେନ୍ଦ୍ର ତନୟା ନଦୀ ଜଳର ଅପଚୟ ନିୟନ୍ତ୍ରଣ କରିବା ପାଇଁ ତତ୍ପର ହୋଇଉଠିଛି ଗଜପତି ଜିଲ୍ଲା ପ୍ରଶାସନ। ତେବେ ଏହା କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।