ରାଜ୍ୟପାଳଙ୍କ ଅଭିଭାଷଣକୁ ନବୀନଙ୍କ ସମାଲୋଚନା: କହିଲେ- ଶ୍ରେୟ ନେବାକୁ ଉଦ୍ୟମ
![](https://nandighoshatv.com/wp-content/uploads/2025/02/naveen-1-1024x576.jpg)
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି ।
ନବୀନ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କେବଳ ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି । ବିଜେଡି ସରକାର ଅମଳର ସଫଳତାର ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି । ହେଲେ ଅନେକ କଥା ସେମାନେ ଉଠାଇ ନାହାଁନ୍ତି । ଯେଉଁଠି ସେମାନେ ଫେଲ ମାରିଛନ୍ତି, ସେହି କ୍ଷେତ୍ର କଥା କହିନାହାଁନ୍ତି । ଆଇନ ଶୃଙ୍ଖଳା ହେଉ କିମ୍ବା ଦରବୃଦ୍ଧି, ବେକାରୀ ପ୍ରସଙ୍ଗ ସେମାନେ ଉଠାଇ ନାହାଁନ୍ତି ବୋଲି ସମାଲୋଚନା କରି କହିଛନ୍ତି ନବୀନ ।
କିଛି ନୂତନତ୍ବ ନାହିଁ
ଅନ୍ୟପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନୂତନତ୍ବ ନାହିଁ । ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ନାହିଁ । ଯେଉଁ ସଫଳତା ବିଷୟରେ ରାଜ୍ୟପାଳ କହିଲେ ତାହା ନବୀନ ସରକାର ଅମଳରେ ହୋଇଥିଲା ।
ଫମ୍ପା ମାଠିଆର ଶବଦ ବେଶୀ
ସେପଟେ ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରିଛି ବିଜେଡି । ଫମ୍ପା ମାଠିଆର ଶବଦ ବେଶୀ ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ପୁରୁଣା କାମକୁ ନେଇ ରାଜ୍ୟ ସରକାର ବାହାଦୂରୀ ମାରୁଛନ୍ତି । ଲୋକମାନଙ୍କ ଲାଗି ଭାଷଣରେ କିଛିନାହିଁ । ବ୍ଲେମ ଗେମର ହୋଇଛି ରିପିଟି । ନବୀନ ସରକାରଙ୍କ ଅମଳରେ ଯାହା କିଛି ବିକାଶ ହୋଇଥିଲା ତାହାକୁ ନେଇ ପ୍ରଚାର କରୁଛନ୍ତି ବିଜେପି ସରକାର । ପୁରୁଣା କାମକୁ ରଙ୍ଗ ମାରି ସରକାର ବାହାଦୁରୀ ନେଉଛନ୍ତି । ସେହିପରି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।