ଶିବତଲା ଓ ମହିମୁଣ୍ଡା ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା ଦାବି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ନୂତନ ବ୍ଲକ ପୁନର୍ଗଠନ ପାଇଁ ଦାବି ଜୋର । ଶିବତଲା ପଞ୍ଚାୟତ ଓ ସେହିପରି ମହିମୁଣ୍ଡା ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣ ନିମନ୍ତେ ଦାବି ହେଉଛି । ନୂତନ ବ୍ଲକ ମାନ୍ୟତା ପ୍ରଦାନ କରିବାକୁ ଅଣ୍ଟା ଭିଡୁଛନ୍ତି ଲୋକେ । ସଦର ବ୍ଲକର ୧୪ ଟି ପଞ୍ଚାୟତ ଓ ଦେଓଗାଁ ବ୍ଲକର ୩ଟି ପଞ୍ଚାୟତକୁ ମିଶ୍ରଣ କରି ଶିବତଲାକୁ ରାଜ୍ଯ ସରକାର ବ୍ଲକ ମାନ୍ଯତା ଦେବାକୁ ଦାବି ହେଉଛି । ଏନେଇ ଶିବତଲା ନୂତନ ବ୍ଲକ କମିଟି ସଭାପତିଙ୍କ ନେତୃତ୍ଵରେ ସଭାସମିତି ଓ ବୈଠକ ଅନୁଷ୍ଠିତ ହେଉଛି । ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ଯ ପ୍ରଦାନ କରାଯାଇଛି । ଗତ କିଛି ଦିନ ତଳେ ରାଜ୍ଯ ସରକାର ନୂତନ ବ୍ଲକ ପୁନର୍ଗଠନ ନେଇ ସବୁଜ ସଙ୍କେତ ଦେବା ପରେ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ବ୍ଲକ ଅଞ୍ଚଳକୁ ନେଇ ନୂତନ ବ୍ଲକ ଗଠନ ପାଇଁ ଦାବି ଜୋର ଧରିଛି ।

୧୯୯୨ ମସିହା ଠାରୁ ଶିବତଲାକୁ ପଞ୍ଚାୟତ ସମିତି ମାନ୍ଯତା ପ୍ରଦାନ କରିବାକୁ ଦାବି ହୋଇଆସୁଛି । ନୂଆ ବ୍ଲକ୍ ଗଠନ ଦାବି ବହୁ ପୁରୁଣା, ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ନୂଆ ବ୍ଲକ୍ ଗଠନ ଦାବି ଜୋର ଧରିଥିଲା । ଯେହେତୁ ନୂଆ ସରକାର ବ୍ଲକ ପୁନଃଗଠନ କଥା କହି କୌଣସି ଆଭିମୁଖ୍ଯ ଗ୍ରହଣ କରୁନାହାଁନ୍ତି ସେଥିପାଇଁ ତେଜୁଛି ଅସନ୍ତୋଷ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଶିବତଲା ବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଲେଣି । ଏନେଇ ଜିଲ୍ଲା ପ୍ରଶାସନ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହିଁ ।