ଆଉ ରାସ୍ତାରେ ଚାଲିବନି ରୋମିଓଙ୍କ ରାଜୁତି
1 min read![](https://nandighoshatv.com/wp-content/uploads/2025/02/traffic-2-1024x576.jpg)
ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ । ହେଲମେଟ, ବ୍ଲାକଫିଲ୍ମ, ବିକଟାଳ ହର୍ଣ୍ଣ, ସିଟବେଲ୍ଟ, ରଙ୍ଗ ରୁଟ ଡ୍ରାଇଭିଂ କରୁଥିଲେ ଆଉ ମିଳିବନି ତ୍ରାହି । ପେଶାଦାର ଖିଲାପକାରୀଙ୍କୁ ଫାଇନ ନୁହେଁ, ଏବେ ପିଆର ବଣ୍ଡରେ ଛଡ଼ାଯାଉଛି ଗାଡି । ଏଜି ଛକ ଓ ନାଲକୋ ଛକରେ ବ୍ୟାପକ ହୋଇଛି ଚେକିଂ । କାଲିଠାରୁ ସମସ୍ତ ଛକ ବଜାରରେ କଡାକଡି ହେବ ଚେକିଂ ।
ରାସ୍ତାରେ ଚଳିବନି ରୋମିଓଙ୍କ ରାଜୁତି । କଳା କାଚ ବ୍ୟବହାରକାରୀ ପାଇଁ କଡା ଆକ୍ସନ୍ । ରଙ୍ଗରୁଟ ଡ୍ରାଇଭର ଓ ପିଲିୟନ ରାଇଡର ବି ସାବଧାନ । ଗାଡ଼ିରେ ବ୍ଲାକଫିଲ୍ମ, ନମ୍ବର ପ୍ଲେଟରେ ରାଜନୈତିକ ଦଳର ଚିହ୍ନ । ସହର ଭିତରେ ପଶି ପୁରୀ ଯାଉଥିବା ବେଳେ ଏଭଳି ଏକାଧିକ ବ୍ଲାକଫିଲ୍ମ ବ୍ୟବହୃତ ଗାଡିକୁ ଧରିଛି ଟ୍ରାଫିକ ପୋଲିସ ।
ଗୋଟିଏ କିମ୍ବା ଦୁଇଟି ନୁହେଁ, ବେନିୟମ ଭାବେ ଗାଡି ଚଳାଉଥିବା ଏକାଧିକ ଚାଳକଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । ଏଜି ଛକ ଓ ନାଲକୋ ଛକରେ RTO ସହଭାଗୀତାରେ ଚେକିଂରେ ବ୍ଲାକ ଫିଲ୍ମ, ହର୍ଣ୍ଣ, ସିତବେଲ୍ଟ, ମଡ଼ିଫାଇଡ଼ ସାଇଲେନ୍ସର, ଟ୍ରିପଲ ରାଇଡିଂ, ହେଲମେଟ ସହ ଗାଡି କାଗଜପତ୍ର ଯାଞ୍ଚ କରାଯାଇଥିଲା । ସୋମବାରଠାରୁ ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଏବେ କେବଳ ଫାଇନ କଟାଯାଉଥିବା ବେଳେ ଆଗକୁ ଗାଡ଼ିଗୁଡିକୁ ପିଆର ବଣ୍ଡରେ କୋର୍ଟରୁ ଆଣିବାକୁ ହେବ ବୋଲି କହିଛନ୍ତି RTO କର୍ମଚାରୀ ।
ବେପରୁଆ ଗାଡିଚାଳନା ପାଇଁ ସହରରେ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ସୋମବାର ବିଳମ୍ବିତ ରାତିରେ ବଡଗଡ଼ ଥାନା ଅନ୍ତର୍ଗତ ସାଇମନ୍ଦିର ଛକରେ ଦୁର୍ଘଟଣା ଘଟି ଚାଲିଯାଇଛି ୩ଟି ଜୀବନ । ଏକ ଟାଟା ହ୍ୟାରିୟର ଗାଡ଼ିରେ ଖଣ୍ଡଗିରି ଯାତ୍ରା ଦେଖିବାକୁ ଆସିଥିବା ୨ ଯୁବକ, ରଙ୍ଗ ରୁଟରେ ବିନା ହେଲମେଟରେ ଆସୁଥିବା ୩ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲେ । ହସ୍ପିଟାଲକୁ ନେବା ବାଟରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡି ସହ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।
ସେପଟେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ନୀତିଦିନ ଚାଲୁଥିବା ବେଳେ ଆଗକୁ ଏହା ଆହୁରି ବ୍ୟାପକ ହେବ ବୋଲି କୁହାଯାଇଛି । ବଡ଼କଥା ହେଉଛି କେବଳ ପୋଲିସର୍ ଚେକିଂ ନୁହେଁ ବରଂ ନିଜେ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ, ସମସ୍ତ ନିୟମ ମାନିବାର ଆବଶ୍ୟକତା ଥିବା କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ । ସେପଟେ ବାହାର ରାଜ୍ୟରୁ ଆସିଥିବା ଲୋକ କଟକଣା ବିଷୟରେ ଅବଗତ ନଥିବା କହିଛନ୍ତି । ଆଗକୁ ମଡିଫାଏଡ଼ ପାର୍ଟ୍ସ ରଖୁଥିବା ଦୋକାନ ବା ଶୋ’ରୁମରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ ।