ଅଧାରୁ ସରିଗଲା ଭୋଜି , ଭାଙ୍ଗିଗଲା ବାହାଘର ।

ଗୁଜୁରାଟ: ଖାଇବା ସରିଯିବାରୁ ଭାଙ୍ଗିଗଲା ବାହାଘର  । ଭୋଜି ନଖାଇ ରାଗିଗଲେ ବରଯାତ୍ରୀ । ବାହା ନହୋଇ ଫେରିଗଲା ବର  ।  ବାଜା ବଜାଇ ରୋଷଣୀ କରି ଆସିଥିଲା ବର । ଡିଜେ ବଜାଇ ନାଚଗୀତ କରି ବରଯାତ୍ରୀ ପହଁଞ୍ଚିଲେ କନ୍ୟା ଘରେ । ବର ଯାଇ ବସିଲା ମଣ୍ଡପ ଉପରେ । ବରଯାତ୍ରୀ ଖାଉଥିଲେ ଭୋଜି । କିନ୍ତୁ ଅଧାରୁ ସରିଗଲା ଭୋଜି  । ସେତେବେଳକୁ ପାଖାପାଖି ୧୦୦ଜଣ ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ ।  ଖାଇବା ସରିଯିବା ନେଇ ବର ଓ କନ୍ୟା ଘର ମଧ୍ୟରେ ଆରମ୍ଭ ହୋଇଗଲା ତୁ ତୁ ମେ ମେ । ଗଣ୍ଡଗୋଳ ଏତେ ବଢିଗଲା ଯେ, ବାହା ନ ହୋଇ ଫେରିଗଲା ବର  । ବନ୍ଦ ହୋଇଗଲା ବାହାଘର । ହସ ଖୁସିର ମାହୋଲରେ ଛାଇଗଲା ନିରାଶା  ।

କନ୍ୟା କିନ୍ତୁ ତାର ବାହାଘର ଭାଙ୍ଗିଯାଉ ବୋଲି ଚାହୁଁ ନଥିଲା  । ସେ ସାହାଯ୍ୟ ପାଇଁ ପୋଲିସକୁ ଫୋନ କଲା  । ଆଉ ପୋଲିସକୁ ଯେ କୈଣସି ଉପାୟରେ ବାହାଘର କରାଇବା ପାଇଁ ଅନୁରୋଧ କରିଥିଲା  । କନ୍ୟାର କଥା ଶୁଣି ପୋଲିସ ତା କଥାରେ ରାଜି ହୋଇ ତୁରନ୍ତ ବର ଘର ଅଭିମୁଖେ ବାହାରିଥିଲା । ଆଉ ବରକୁ ଭ୍ୟାନରେ ବସାଇ ପୋଲିସ ଷ୍ଟେସନକୁ ନେଇ ଆସିଥିଲା । ଏହା ପରେ ପୋଲିସ ବରକୁ ବୁଝାସୁଝା କରି ଥିଲେ  । ବର ମଧ୍ୟ ପୋଲିସ ବାବୁଙ୍କ କଥାରେ ରାଜି ହେଲା ଓ ବାହା ହେବା ପାଇଁ ହଁ ମଧ୍ୟ କହିଲା  । ସେତେବେଳକୁ କନ୍ୟା  ମଧ୍ୟ ଆସି ପୋଲିସ ଷ୍ଟେସନରେ ପହଁଞ୍ଚି ସାରିଥିଲା  । ଉଭୟ ବିବାହ ପାଇଁ  ରାଜି ମଧ୍ୟ ହେଲେ  । ଦୁହେଁ ସର୍ତ୍ତ ରଖିଲେ କି ବାହାଘର ଥାନାରେ କରିବା ପାଇଁ  ।

ଦୁହିଁଙ୍କ କଥାରେ ରାଜି ହୋଇ ପୋଲିସ କର୍ମଚାରୀ ଫୁଲମାଣ କିଣି ଆଣିଲେ  । ବ୍ରାହ୍ମଣ ମଧ୍ୟ ଡକାଗଲା । ରୀତିନୀତି ଅନୁସାରେ ଦୁହେଁ ଦୁହିଁଙ୍କୁ ଫୁଲମାଳ ପିନ୍ଧାଇଲେ  । ବିବାହ ସମ୍ପର୍ଣ୍ଣ ହେଲା  । ଥାନା କର୍ମଚାରୀଙ୍କ ଉପସ୍ଥିତିରେ ବିବହା ଅନୁଷ୍ଠିତ ହେଲା । ବାହାଘର ପରେ ପୋଲିସ୍ ବରକନ୍ୟାଙ୍କୁ ନେଇ ବର ଘରକୁ ଗଲେ । ବର ଘର ଲୋକ ଓ ଗାଁ ଲୋକଙ୍କୁ ପୋଲିସ ବୁଝାଇଲା  । ଗାଁ ଲୋକ ରାଜି ହେଲେ  । ପୋଲିସଙ୍କ କଥାରେ ସମସ୍ତେ ବରକନ୍ୟାଙ୍କୁ ଆଶୀର୍ବାଦ କଲେ  ।  ନୂଆ ବୋହୂକୁ ସ୍ୱାଗତ କଲେ ।  ପୋଲିସର ସହାୟତା ପାଇଁ ଭାଙ୍ଗି ଯାଇଥିବା ବାହାଘର ପୁଣି ହେଲା  ।  ଏହି କାର୍ଯ୍ୟ ପାଇଁ ପୋଲିସକୁ ମିଳୁଛି ପ୍ରଶଂସା ।  ଘଟଣାଟି  ଗତ ରବିବାର ଦିନ  ଗୁଜରାଟର ସୁରଟରେ ଘଟିଥିବା ଜଣାପଡ଼ିଛି  ।