ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ରେସବାହାଲି ଗାଁ..
ନନ୍ଦିଘୋଷ ବ୍ୟୁରୋ: ଆଜି ବି ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା ସୁଯୋଗ । ରାସ୍ତାଘାଟ, ସ୍ଵଚ୍ଛ ପାଣି, ଅଙ୍ଗନବାଡି, କ୍ଳବ ଘର ସବୁ ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ନା ପଡୁଚି ସରକାରଙ୍କ ନଜର ନା ପଶୁଛି ପ୍ରଶାସନର ଚେତା।
ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ରେସବାହାଲି ଗାଁ। ଅଞ୍ଚଳକୁ ନା ଅଛି ରାସ୍ତା , ନା ଲୋକଙ୍କୁ ମିଳୁଛି ସ୍ଵଚ୍ଛ ପାଣି । ଏହି ଗାଁରେ ୨୫ଟି ପରିବାରର ୧୦୦ରୁ ଅଧିକ ଲୋକେ ବସବାସ କରୁଛନ୍ତି । ହେଲେ ଗାଁକୁ ପକ୍କା ରାସ୍ତା ତ ଦୂରର କଥା ଭଲ ମାଟି ରାସ୍ତା ଟିଏ ମଧ୍ୟ ନାହିଁ । କେବଳ ରହିଛି ଏକ ପାଦ ଚଲା ରାସ୍ତା । ସେହିପରି ଗାଁରେ ବିଦ୍ଯାଳୟ କି ଅଙ୍ଗନବାଡି ଟିଏ ମଧ୍ଯ ନାହିଁ । ପିଲାମାନେ ପ୍ରତିଦିନ ଜଙ୍ଗଲ ଘେରା ପରିବେଶ ଦେଇ ପ୍ରାୟ ୩ କିଲୋମିଟର ବାଟ ଚାଲି ଗ୍ରିନଡୋଲା ଗାଁକୁ ପାଠ ପଢ଼ିବାକୁ ଯାଉଛନ୍ତି । ରାସ୍ତା ଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ମେଡିଲାକକୁ ନେଉଥିବା ନେଇ ଗ୍ରାମବାସୀ କହିଛନ୍ତି । ଖାଲି ଏତିକି ନୁହେଁ ଗାଁରେ କ୍ଳବ ଘର କି ପୋଖରୀ ଟିଏ ମଧ୍ଯ ନାହିଁ ।
ଅନ୍ୟପଟେ ଗାଁକୁ କେବଳ ଭୋଟ ସମୟରେ ନେତା ମାନେ ଆସନ୍ତି । ଗାଁର ଅବସ୍ଥା ଦେଖି ଜିତିବା ପରେ ସମସ୍ତ ସମସ୍ୟାର ସମାଧାନ କରିଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଛନ୍ତି ଗ୍ରାମବାସୀ । କିନ୍ତୁ ପ୍ରତିଶ୍ରୁତି ଆଜିଯାଏ ବାସ୍ତବତାରେ ପରିଣତ ହୋଇନଥିବା ବେଳେ ଆଜିବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ରେସବାହାଲି ଗାଁ । ତେଣୁ ଗାଁକୁ ପକ୍କା ରାସ୍ତା, ଏକ ଅଙ୍ଗନବାଡି ସହ କ୍ଳବ ଘର ଏବଂ ପୋଖରୀ ଗୋଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ଯପଟେ ଗ୍ରାମବାସୀଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଗାଁର ସମସ୍ଯା ପ୍ରତି ସରକାର ଦୃଷ୍ଟି ଦେଇ ସମସ୍ଯାର ସମାଧାନ କରିବା ନିହାତି ଜରୁରୀ ହୋଇପଡିଛି ।