୨୦୨୫ ବଜେଟରେ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ଅର୍ଥମନ୍ତ୍ରୀ ନିର୍ମଳା
1 min readନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଷ୍ଟମ ବଜେଟର କଣ ହେବ କଳେବର । କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବେ ନିର୍ମଳା, ସେ ନେଇ ଚାଲିଛି କଳ୍ପନାଜଳ୍ପନା ।
ଗତ ୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୩-୨୪ ତୁଳନାରେ ଏହି ପରିମାଣ ୮.୫ ପ୍ରତିଶତ ଅଧିକ ଥିଲା। ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି । ସେହିପରି ଗତ ବଜେଟରେ କରଜ ବିନା ମୋଟ ଆଦାୟ ଲକ୍ଷ୍ୟ ରହିଥିଲା ୩୨ ଦଶମିକ ୭ ଲକ୍ଷ କୋଟି ଟଙ୍କା । ଶୁଳ୍କରୁ ମୋଟ ଆୟ ପରିମାଣ ୨୫ ଦଶମିକ ୮୩ ଲକ୍ଷ କୋଟି ଟଙ୍କା ରହିଥିବାବେଳେ ରାଜସ୍ବ ନିଅଣ୍ଟ ପରିମାଣ ଥିଲା ଜିଡିପିର ୪ ଦଶମିକ ୯ ପ୍ରତିଶତ ।
ଚଳିତ ବଜେଟରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ମିଳିପାରେ ପ୍ରାଧାନ୍ୟ। ଜିଡିପିର ପ୍ରାୟ ୫ ପ୍ରତିଶତ ବ୍ୟୟ ଲାଗି ବଜେଟରେ ରହିପାରେ ଲକ୍ଷ୍ୟ । ଏଆଇଭିତ୍ତିକ ଚିକିତ୍ସା ପ୍ରଣାଳୀ ଉପରେ କରିପାରନ୍ତି ଫୋକସ ଅର୍ଥମନ୍ତ୍ରୀ। ବଜେଟରେ କୃଷି କ୍ଷେତ୍ର ଲାଗି ଦିଆଯାଇପାରେ ଅଧିକ ଗୁରୁତ୍ବ । ଏମଏସପି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସରକାର ନେଇପାରନ୍ତି ଦରଗତ ସ୍ଥିରତା ରକ୍ଷା ସଂକ୍ରାନ୍ତ କୌଶଳ। କିଷାନ କ୍ରେଡିଟ ସ୍କିମକୁ ବି ଅଧିକ ସମ୍ପ୍ରସାରିତ କରିପାରନ୍ତି ସରକାର । ରିଟେଲ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଲାଗି କେତେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିପାରନ୍ତି ନିର୍ମଳା। ଇଲେକ୍ଟ୍ରିକ ଯାନ ସକାଶେ ଜିଏସଟି ବି ହ୍ରାସ କରିବା ସମ୍ଭାବନା ରହିଛି । ରିୟଲ ଇଷ୍ଟେଟ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ନିର୍ମାଣ ସାମଗ୍ରୀ ଯଥା ସିମେଣ୍ଟ, ରଡ ଉପରୁ ଜିଏସଟି ହ୍ରାସ ସମ୍ଭାବନା ରହିଛି । ଗତ ବଜେଟରେ ପ୍ରତିରକ୍ଷା ଲାଗି ୪ ଲକ୍ଷ ୫୪ ହଜାର ଲକ୍ଷ କୋଟି ଟଙ୍କା ଅଟକଳ କରାଯାଇଥିବାବେଳେ ଚଳିତ ବଜେଟରେ ଏହି ପରିମାଣ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି ।