କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଭୋଟ ସ୍ଥଗିତ, ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ପିଆରଆଇ ସଦସ୍ୟ
ଝାରସୁଗୁଡା: କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ। ଚକ୍ରାନ୍ତ କରି ସ୍ଥଗିତ କରାଯାଇଥିବା ଅଭିଯୋଗ ହୋଇଛି। ପିଆରଆଇ ସଦସ୍ୟ କେମିତି ପହଞ୍ଚିପାରିବେନି ସେ ନେଇ ହୋଇଥିଲା ଚକ୍ରାନ୍ତ। ବିଜେଡି ନେତା ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ ଏବେ ରଖିଛି ଅଟକ। ବିଶାଲଙ୍କ ସହ ପିଆରଆଇ ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି। ବିଜେଡି ପିଆରଆଇ ସଦସ୍ୟ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। କିର୍ମିରା ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସାହୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା । ଗତକାଲି ପିଆରଆଇ ସଭ୍ୟମାନେ ଆଶଂକା କରିଥିଲେ ଅଘଟଣ। ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ପିଆରଆଇ ସଦସ୍ୟ। ଭିଡ଼ିଓ ଜାରି କରି ମାଗିଥିଲେ ସୁରକ୍ଷା । ପୋଲିସ ସୁରକ୍ଷା ଦେଇପାରିନଥିବା ସ୍ପଷ୍ଟ ହୋଇଛି। ସୁରକ୍ଷା ବଦଳରେ ପିଆରଆଇ ସଦସ୍ୟଙ୍କୁ ଅଟକ ରଖିଲା ପୋଲିସ।
କିର୍ମିରା ବ୍ଲକରେ ବିଜେଡିର ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂଖ୍ଯା ୧୨। କିର୍ମିରା ବ୍ଲକରେ ବିଜେପିର ସମିତି ସଭ୍ୟ ଓ ସରପଞ୍ଚଙ୍କ ସଂଖ୍ଯା ମାତ୍ର ୪। ଅନାସ୍ଥା ଭୋଟ ହୋଇଥିଲେ ବ୍ଲକ ଅଧ୍ୟକ୍ଷା ହାରିବା ନିଶ୍ଚିତ ଥିଲା । ସେଥିପାଇଁ ଏଭଳି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଜଣାପଡିଛି।ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଘଟଣା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ସୁରକ୍ଷା ଦେଇନଥିବା କୁହାଯାଉଛି। ରାଜ୍ୟରେ ବିଜେପି ସରକାର ଥିବାବେଳେ ଛତିଶଗଡ଼ରେ ମଧ୍ୟ ବିଜପି ସରକାର ରହିଛି। ସରକାରଙ୍କ ଚାପରେ ପୋଲିସ ଏଭଲି କାଣ୍ଡ ଭିଆଇଥିବା ଅଭିଯୋଗ ଉଠିଛି। ହାରିଯିବା ଭୟରେ କରିଥିଲେ ଚକ୍ରାନ୍ତ।
ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଆସିବା ପୂର୍ବରୁ ଦିବଙ୍ଗତ ବିଜେଡି ନେତା ତଥା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଛତିଶଗଡ଼ ସରେଇପାଲି ଥାନାରେ ଅଟକ ରଖିଛି। ବିଶାଲ ଦାସଙ୍କ ସହ କିରମିରା ବ୍ଲକର କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୋଲିସ ଅଟକ ରଖିଛି। ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ହେବାର ଥିଲା। ତେବେ ସଦସ୍ୟମାନେ ପହଞ୍ଚି ନପାରିବାରୁ ଅନାସ୍ଥା ଭୋଟ ହୋଇପାରିନାହିଁ। ଅନାସ୍ଥାରେ ଯୋଗଦେବାକୁ ଆସୁଥିବା ପିଆରଆଇ ମେମ୍ବର ସମେତ ନବ ଦାସଙ୍କ ପୁଅ ବିଶାଲ ଦାଶଙ୍କୁ ଗତ ରାତି ୧୧ଟାରୁ ଅଟକ ରଖିଛି ଛତିଶଗଡ଼ ପୋଲିସ। ଆଜି ହେବାକୁ ଥିବା ଅନାସ୍ଥା ଭୋଟରେ ଯୋଗ ଦେବା ପାଇଂ ପ୍ରତିବନ୍ଧକ ଆଶଂକା କରି ଥିଲାଗି ଗତକାଲି ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ ପିଆରଆଇ ମେମ୍ବର। ବିଶାଲ ଦାଶଙ୍କ ହୋଟେଲରେ ପହଞ୍ଚି ଲଇକେରା ଆଇଆଇସି ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ସମ୍ବଲପୁର ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରି ପିଆରଆଇ ସଦସ୍ୟଙ୍କ ଲାଗି ସୁରକ୍ଷା ମାଗିଥିଲେ ନବ ଦାଶଙ୍କ ପୁଅ ବିଶାଲ ।
ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ। ଯଦି ଅନାସ୍ଥା ଭୋଟରେ ପିଆରଆଇ ସଦସ୍ୟ ସାମିଲ ହୋଇନପାରନ୍ତି ଏହାର ଦାୟୀ ଓଡ଼ିଶା ସରକାର ହେବେ ବୋଲି କହିଛନ୍ତି ଦୀପାଳି। ଗଣତନ୍ତ୍ରର ଏହା ହତ୍ୟା ବୋଲି କଡ଼ା ସମାଲୋଚନା କରି କହିଛନ୍ତି । ଘଟଣା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ବିଜେଡି ପୂର୍ବତନ ବିଧାୟିକା ଦୀପାଳି ଦାସ । କିପରି ସୁରକ୍ଷିତ ଭାବେ ପିଆରଆଇ ମେମ୍ବର ଅନାସ୍ଥା ଭୋଟ ଦେଇପାରିବେ ସେ ବ୍ୟବସ୍ଥା କରି ଏହି ଘଟଣାର ତଦନ୍ତ କରନ୍ତୁ ବୋଲି ଦୀପାଲି ଦାସ ଦାବିପତ୍ରରେ ଜଣାଇଛନ୍ତି ।