ଆଗରେ ପାର୍ଟସ ଦୋକାନର ବୋର୍ଡ, ଭିତରେ ନକଲି ଚା’ ପ୍ୟାକିଂ କାରଖାନା

ଜଳେଶ୍ବର : ଆଗରେ ଲାଗିଥିଲା ଅଟୋ ପାର୍ଟସ ଦୋକାନର ସାଇନ ବୋର୍ଡ।  ଭିତରେ ଚାଲିଥିଲା ନକଲି ଚା’ ପ୍ୟାକିଂ କାରଖାନା। ନକଲି ଚା ପ୍ୟାକେଟରେ ନାମିଦାମୀ ଚା’ କମ୍ପାନୀର ଲୋଗୋ ଲଗାଇ ହେଉଥିଲା ପ୍ୟାକିଂ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଗ୍ରୱାଲା ଛକ ନିକଟ ନକଲି ଚା’ ପ୍ୟାକିଂ କାରଖାନା ଉପରେ ଚଢ଼ାଉ ହୋଇଛି। ବଜାରରୁ ଶସ୍ତା ଦାମରେ ଚା କିଣି ଏହାକୁ ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ସହ ପ୍ଯାକେଜିଂ କରି ବିକ୍ରି କରା ଯାଉଥିବା ନେଇ ଅଭିଯୋଗ ହୋଇଥିଲା।  ଟାଟା ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଳେଶ୍ବର ପୋଲିସ ସହାୟତାରେ ଚଢ଼ାଉ କରିଥିଲେ। ଅଟୋପାର୍ଟସ ଦୋକାନ ଭିତରୁ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ଯାଗ, ଚା ପ୍ଯାକେଟ ଆଦି ଜବତ କରାଯାଇଛି। ତେବେ ଦୀର୍ଘ  ବର୍ଷ ଧରି ଏଠାରେ ନକଲି ବେପାର ଚାଲିଥିଲା। ନକଲି ଚା ପ୍ଯାକେଟ ସ୍ଥାନୀୟ ବଜାରରେ ବିକ୍ରି ହେବା ସହ ରାଜ୍ୟ ବାହାରକୁ ମଧ୍ୟ ସପ୍ଲାଇ ହେଉଥିବା ଜଣାପଡିଛି।