ବେଆଇନ ଗଞ୍ଜେଇ ଚାଷ କରୁଥିଲେ ସାବଧାନ!
1 min readନନ୍ଦିଘୋଷ ବ୍ୟୁରୋ: ଗଞ୍ଜେଇ ଚାଷ କରୁଥିଲେ ସାଵଧାନ । ନିଶା ମାଫିଆଙ୍କ ଜମି ଉପରେ ଉଡୁଛି ଡ୍ରୋନ । ନଷ୍ଟ ହେଉଛି ଶହ ଶହ ଏକର ଚାଷ । ମାସକ ମଧ୍ୟରେ ୨୩ ଶହ ୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଗଲାଣି । ଆଗାମୀ ଦିନରେ ମଧ୍ଯ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନତି ଡିଜିପି ।
ଗଞ୍ଜେଇ ଚାଷ ଓ ଚାଷୀଙ୍କ ବିରୋଧରେ ପୋଲିସର ମିଶନ ଦମନ । ଡ୍ରୋନ ସାହାଯ୍ୟରେ ଚିହ୍ନଟ ପରେ କଟାଯାଉଛି ଗଞ୍ଜେଇ ଗଛ । ନିଶା ମାଫିଆଙ୍କ ବିରୋଧରେ ଖୁରାନିଆଙ୍କ ଜିରୋ ଟଲରାନ୍ସ । ଆନ୍ତଃ ରାଜ୍ୟଚାଲାଣ ରୋକିବାକୁ ଏସପି ମାନଙ୍କୁ ଟାସ୍କ ଦେଲେ ଡିଜିପି । ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ । ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ଯରେ ଓଡିଶା ପୋଲିସ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ରାଜ୍ୟ ପୋଲିସ୍, ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଗଞ୍ଜେଇ ନଷ୍ଟ କରିବା ନେଇ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ । ରାଜ୍ୟର ୯ ଟି ଜିଲ୍ଲାରେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି ।
ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୁରଭଞ୍ଜ ଜିଲ୍ଲାରେ ବହୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ରାଜ୍ଯ ପୋଲିସ ଜାଣିବାକୁ ପାଇଛି । ତେଣୁ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଅଭିଯାନ ଆରମ୍ଭ କରିଛି ଓଡିଶା ପୋଲିସ ।
ନଭେମ୍ବର ୧ ତାରିଖରୁ ଆଜି ଭିତରେ ୨୩ ଶହ ୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୫୪ ଟି NDPS ମାମଲାରେ ୫୩ ଶହ କେଜି ଗଞ୍ଜେଇ ଜବତ କରାଯାଇଛି । ବାହାରକୁ ଗଞ୍ଜେଇ ଚାଲାଣ ବେଳେ ୨୦ ଟି ଗାଡି ସହ ୧୫ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ଏପର୍ଯ୍ୟନ୍ତ ୮୦ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଓଡିଶା ଗଞ୍ଜେଇର ରାଜ୍ୟ ବାହାରେ ଚାହିଦା ଥିବାରୁ ପୂର୍ବ ଦିନ ମାନଙ୍କରେ ବିପୁଳ ନିଳଜହର ବାହାରକୁ ଚାଲାଣ ହେଉଥିଲା । ଏହି କାରବାରରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ବିଭିନ୍ନ ଜିଲ୍ଲାର SP ଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ମାଓବାଦୀ ଓ ନକ୍ସଲ ମୁଖ୍ୟତଃ ଗଞ୍ଜେଇ କାରବାର ଉପରେ ନିର୍ଭରଶୀଳ । ତେଣୁ ନୀଳଜହରର ବିନାଶ ହେଲେ ଏହି ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ବରିଷ୍ଠ ଅଫିସର ମାନଙ୍କୁ ସୂଚନା ଦେଇଛନ୍ତି ଡିଜିପି ।