ପିସିସି ସଭାପତି ଘୋଷଣା ପୂର୍ବରୁ କଂଗ୍ରେସରେ ହଲଚଲ

ଭୁବନେଶ୍ବର: ପିସିସି ସଭାପତି ଘୋଷଣା ପୂର୍ବରୁ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ । ପ୍ରଭାରୀଙ୍କ ଗସ୍ତର ଦୁଇଦିନ ପୂର୍ବରୁ ମହମ୍ମଦ ମୋକିମଙ୍କ ସପକ୍ଷରେ ଆରମ୍ଭ ହେଲା ଲବି । ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି କଂଗ୍ରେସର ଛାମୁଆ କର୍ମୀ ଓ ନେତା । ବର୍ତ୍ତମାନର ସ୍ଥିତିରେ ମହମ୍ମଦ ମୋକିମ ହିଁ କଂଗ୍ରେସ ମୁଖିଆ ପାଇଁ ସବୁଠାରୁ ପସନ୍ଦର ପ୍ରାର୍ଥୀ ବୋଲି ମତ ଆସିଛି । ବନ୍ଧୁ ମିଳନରେ ଯୋଗ ଦେଇ ମହମ୍ମଦ ମୋକିମ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେବ, ତାହା ତୁଲାଇବାକୁ ପ୍ରସ୍ତୁତ । ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ମୁଖିଆକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ପ୍ରଭାରୀ ମିନାକ୍ଷୀ ନଟରାଜନ ଓ ଚରଣ ଦାସ ମହନ୍ତ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ।

ପିସିସି ସଭାପତି କିଏ ହେବ ? ଏନେଇ ସସପେନ୍ସ ଜାରି ଥିବାବେଳେ ଲବି ନୁହେଁ ଛବିକୁ ଫୋକସ କରିବାକୁ ଦଳୀୟ ନେତାଙ୍କ ଦାବି ପାଣିର ଗାର ପାଲଟିଥିବା ପ୍ରତ୍ଯୟମାନ ହେଉଛି । ସିଧାସଳଖ କହିବାକୁ ଗଲେ କଂଗ୍ରେସ ମଙ୍ଗ ଧରିବା ପାଇଁ ଲବି ଆରମ୍ଭ ହୋଇଯାଇଛି । ଦୁଇ ଦିନ ପରେ ଦୁଇ ପ୍ରଭାରୀ ମିନାକ୍ଷୀ ନଟରାଜନ ଓ ଚରଣ ଦାସ ମହନ୍ତ ଓଡିଶା ଆସୁଛନ୍ତି । ହେଲେ ତା’ ପୂର୍ବରୁ ଏଆଇସିସିର ଦୃଷ୍ଟି ଆକର୍ଷଣ ଲାଗି ଉଦ୍ଯମ କରିଛନ୍ତି ବରିଷ୍ଠ ନେତା ତଥା ଆଶାୟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାକୁ ନେଇ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ ଆରମ୍ଭ ହୋଇଯାଇଛି ।

ପିସିସି ସଭାପତି ଚୟନ ପୂର୍ବରୁ ମୋକିମ କ୍ୟାମ୍ପର ସମରସଜ୍ଜା । ମହମ୍ମଦ ମୋକିମ ହିଁ ଓଡ଼ିଶା କଂଗ୍ରେସ ମୁଖିଆ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କର୍ମୀଙ୍କ ମତ । ପିସିସି ସଭାପତି କିଏ ହେବ, ସେ ବାବଦରେ ଆଲୋଚନା ପାଇଁ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଦୁଇ ପ୍ରଭାରୀ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ । ଏହା ପୂର୍ବରୁ ଭୁବନେଶ୍ବରରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଛନ୍ତି । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ବନ୍ଧୁମିଳନରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ସଭାପତି ଓ କର୍ମକର୍ତ୍ତାଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ ନେତାମାନେ ଏକାଠି ହୋଇଥିଲେ । ମହମ୍ମଦ ମୋକିମ ମଧ୍ୟ ଏଠାରେ ପହଞ୍ଚିଥିଲେ । ଭୁବନେଶ୍ବର ସଭାପତିଙ୍କ ସମେତ ଅନେକ ନେତା ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।

ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀ ରାଜ୍ୟ ସାରା ସବୁଠି ଅଛନ୍ତି । କଂଗ୍ରେସ କର୍ମୀଙ୍କ ମନୋବଳ ବି ଉଚ୍ଚା ରହିଛି । ହେଲେ କଂଗ୍ରେସକୁ ଆଗକୁ ନେବା ପାଇଁ ଜଣେ ଉପଯୁକ୍ତ ମୁଖିଆ ଦରକାର । ଯିଏ ରାଜ୍ଯ ଯାକ ବୁଲି ପାରୁଥିବେ, ଅର୍ଥ ଖର୍ଚ୍ଚ କରିପାରୁଥିବେ । କଂଗ୍ରେସ ଶିବିରକୁ ଚଳଚଞ୍ଚଳ କରିବାର ଦକ୍ଷତା ଥିବ । ନେତା ଓ କର୍ମୀମାନେ ଏସବୁ କାମ ପାଇଁ ମହମ୍ମଦ ମୋକିମ ହିଁ ଉପଯୁକ୍ତ ନେତା ବୋଲି ଖୋଲାଖୋଲି ବନ୍ଧୁମିଳନରେ କହିଛନ୍ତି । ମୋକିମ ମଧ୍ୟ ଦଳର ଦାୟିତ୍ବ ନେବାକୁ ପ୍ରସ୍ତୁତ ବୋଲି ପରୋକ୍ଷରେ କହିଛନ୍ତି । ଦୁଇ ପ୍ରଭାରୀ ୪ ତାରିଖରେ ଆସି ପରର୍ବତ୍ତୀ ସଭାପତି ଚୟନ ପାଇଁ ଆଲୋଚନା କରିବେ ।

୨୫ ବର୍ଷ ହେଲା କ୍ଷମତାଠାରୁ ଦୂରେଇ ରହିଛି କଂଗ୍ରେସ । ରାଜ୍ୟବାସୀଙ୍କ ଆସ୍ଥା ବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି ଦଳ । ସାରା ଦେଶରେ କଂଗ୍ରେସର ଉତ୍ଥାନ ହେଉଥିବା ବେଳେ ଓଡ଼ିଶାରେ ଦଳର ପ୍ରଦର୍ଶନ ଶୋଚନୀୟ ହୋଇଥିବାରୁ ଜଣେ ଦକ୍ଷ ସଙ୍ଗଠକଙ୍କୁ ମୁଖିଆ କରିବା ପାଇଁ ଉଦ୍ୟମ ଚାଲିଛି ।