ପ୍ରଦୂଷଣ ଘେରରେ ଅଣନିଶ୍ୱାସୀ ହେଲେଣି ଦିଲ୍ଲୀବାସୀ
1 min readଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁର ମାନ। ଆଜି ସବୁଠାରୁ ଖରାପ ସ୍ତରକୁ ଯାଇଛି ବାୟୁ। ଆନନ୍ଦବିହାର ଅଂଚଳରେ AQI ୩୫୨ ରେକର୍ଡ ହୋଇଛି। ମୁଣ୍ଡକା ଅଂଚଳରେ ଏକ୍ଯୁଆଇ ୨୮୨, ବଜିରପୁରରେ ୨୯୭, ଜାହାଙ୍ଗିରପୁରିରେ ୨୯୭, ଆରକେ ପୁରମରେ ୨୮୫ ଏକ୍ଯୁଆଇ ରେକର୍ଡ ହୋଇଛି। ବବାନାରେ ୩୨୦ ଏବଂ ବିବେକ ବିହାର ଅଂଚଳରେ ଏକ୍ଯୁଆଇ ୩୦୮ ରେକର୍ଡ ହୋଇଛି। ଦିଲ୍ଲୀରେ ହାରାହାରି ଏକ୍ଯୁଆଇ ମାନ ୨୭୧ ରେକର୍ଡ ହୋଇଛି। ଦିଲ୍ଲୀରେ ଶୀତ ଆରମ୍ଭ ଆଗରୁ ପୁଣି ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଗତ କିଛି ଦିନ ଧରି ଦିଲ୍ଲୀରେ ବାୟୁର ସ୍ଥିତି ବିଗିଡିଛି। ଆକାଶରୁ ଧୂଆର ଚାଦର ଦେଖିବାକୁ ମିଳିଛି। ସୁସ୍ଥ ଲୋକଙ୍କ ପାଖରେ ମଧ୍ୟ କାଶ ଓ ସ୍ଵାସ ଜନିତ ସମସ୍ଯା ଦେଖାଦେଇଛି। ଲଗାତାର ପ୍ରଦୂଷିତ ଟପ୍ ୧୦ ସହର ମଧ୍ୟରେ ରହି ଆସୁଛି ଦିଲ୍ଲୀ। ଦିଲ୍ଲୀ ଏବେ ଦେଶର ତୃତୀୟ ପ୍ରଦୂଷିତ ସହର ପାଲଟିଛି। ସବୁଠାରୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ବିହାରର ହାଜିପୁର ରହିଛି। ଆସନ୍ତାକାଲି ଦୀପାବଳି ଥିବାରୁ ଆଗକୁ ଆହୁରି ସ୍ଥିତି ଖରାପ ହୋଇପାରେ। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ବ୍ଯାନ ଲାଗିଥିଲେ ମଧ୍ୟ ଲୋକେ ଲୁଚାଛପାରେ ବାଣ ଫୁଟାଉଛନ୍ତି। ଏହାପରେ ବାୟୁର ମାନ ଆହୁରି ପ୍ରଦୂଷିତ ହୋଇଯାଉଛି । ପ୍ରଦୂଷଣରୁ ଛୋଟ ଶିଶୁ, ବୟସ୍ତ ବ୍ଯକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ଯା ବଢିପାରେ। ସେପଟେ ଦିଲ୍ଲୀରେ ଯମୁନା ନଦୀର ପାଣି ମଧ୍ୟ ଦୂଷିତ ହୋଇଛି। କାଳନ୍ଦୀ କୁଂଜ ନିକଟରେ ଯମୁନାରେ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳିଛି। ଯମୁନା ନଦୀର ପାଣି ପ୍ରଦୂଷଣର ସର୍ବାଧିକ ସ୍ତରରେ ପହଞ୍ଚିଛି। ସାରା ନଦୀ ବିଷାକ୍ତ ଫେଣରେ ଭରିଯାଇଛି।