ହିମାଂଶୁ ବିଧାୟକ ଭାବେ ଜିତିବା ପରେ ଧର୍ମଶାଳାରେ ଅରାଜକତା ବଢ଼ିଯାଇଛି: ବିଜେଡି

ଯାଜପୁର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଅଣ୍ଡା ମାଡ଼ ପ୍ରସଙ୍ଗରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୁବ ବିଜେଡି ନେତା ନୀଳମାଧବ ମହାନ୍ତି କହିଛନ୍ତି,  ହିମାଂଶୁ ସାହୁ ଯେବେଠୁ ବିଧାୟକ ଭାବେ ଜିତିଲେଣି ଧର୍ମଶାଳାରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି । ଲୋକେ ଏହା ଜାଣି ସାରିବାରୁ ସେ କ୍ଷମା ମାଗିଛନ୍ତି ।

ଆଗକୁ ସେ କହିଛନ୍ତି, ଅନ୍ୟ ନିର୍ବାଚନ ମଣ୍ଡଳୀରେ ତ ଏଭଳି ସ୍ଥିତି ସୃଷ୍ଟି ହେଉନାହିଁ । ଯେଉଁ ଦିନ ଏହି ଘଟଣା ଘଟିଲା ସେହିଦିନ ଏ କଥା କିଏ କରିଛି ଜାଣି ନଥିବା କହିଥିଲେ ବିଧାୟକ । ଏବେ ସେହିଦିନ କଥାକୁ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି । ତେଣୁ ଏବେ ଲୋକେ ତାଙ୍କ ଉଦ୍ଦେଶ୍ୟ ଜାଣି ଯିବାରୁ ବିଧାୟକ କ୍ଷମା ମାଗିଥିବା କହିଛନ୍ତି ନୀଳମାଧବ ମହାନ୍ତି । ଏପରିକି ବିଧାୟକ ଚାନ୍ଦା ଆଦାୟ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ବିଜେଡି ଯୁବ, ଛାତ୍ର ଓ ମହିଳା ଏହାର କଡ଼ା ଜବାବ ଦେବେ ଓ ଏଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି ନୀଳମାଧବ । ଧର୍ମଶାଳାରେ ଜିତିବା ପରେ ଅଞ୍ଚଳର ବିକାଶ ନକରି ଜଣଙ୍କ ଉପରେ ଆକ୍ରୋଶ ରଖି କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ବିଜେଡି ରାଜ୍ୟ ସମ୍ପାଦକ ନୀଳମାଧବ ମହାନ୍ତି କହିଛନ୍ତି ।