ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ, ଦୁର୍ଘଟଣା ପରେ ଲାଗିଲା ନିଆଁ

1 min read

ଚେନ୍ନାଇ: ଚେନ୍ନାଇରେ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ । ଥିରୁଭାଲୁର ଜିଲ୍ଲା କବରପେଟ୍ଟାଇ ଷ୍ଟେସନ ନିକଟରେ ମହୀଶୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି ।

ଟ୍ରେନର ୫ରୁ ୬ଟି ବଗି ଲାଇନଚ୍ଯୁତ ହୋଇଯାଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯିବା ସହ ପ୍ରବଳ ଧୂଆଁ ବାହାରୁଛି । ଅନେକ ଯାତ୍ରୀ ଆହତ ହୋଇଥିବାବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅଗ୍ନିଶମ ବାହିନୀ ଓ ରେସ୍କ୍ଯୁ ଟିମ୍ ପହଞ୍ଚି ଟ୍ରେନ ନିଆଁକୁ ଲିଭାଇବା ସହ ଉଦ୍ଧାର କାର୍ଯ୍ଯ କରୁଛନ୍ତି ।

ଟ୍ରେନଟି ମହୀଶୁରରୁ ବିହାର ଦରଭଙ୍ଗାକୁ ଯାତ୍ରା କରୁଥିଲା । ରାତି ସାଢେ ୮ଟାରେ କବରପେଟ୍ଟାଇ ଷ୍ଟେସନ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ।

ପ୍ରଶ୍ନ ଉଠୁଛି, ଲାଇନରେ ମାଲବାହୀ ଟ୍ରେନ ଥାଇ କିପରି ସେହି ଲାଇନରେ ପାସେଞ୍ଜର ଟ୍ରେନକୁ ଅନୁମତି ମିଳିଲା ? ଏହା ଯାନ୍ତ୍ରିକ ନା ମାନବିକ ତ୍ରୁଟି ? କେଉଁ କାରଣରୁ ଏପରି ଅଘଟଣ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।