ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା । ଜୁନିଅର ଡାକ୍ତରଙ୍କୁ ସମର୍ଥନ କରି ବରିଷ୍ଠ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି ।

ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଜୁନିଅର ଡାକ୍ତରମାନେ ବିରାଟ ଆନ୍ଦୋଳନ କରିଥିଲେ । ସୁରକ୍ଷା ଓ ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା ପରେ ୪୨ ଦିନ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ ନ କରିବା ଅଭିଯୋଗରେ ୫ ଦିନ ହେଲାଣି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିଅର ଡାକ୍ତର । ଗତ ଶନିବାରରୁ ସେମାନେ ଅନଶନ କରୁଛନ୍ତି । ଡାକ୍ତରଙ୍କୁ ସୁରକ୍ଷା ଓ ଦୁର୍ନୀତିମୁକ୍ତ ପରିଚାଳନା ଦାବି କରି ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜୁନିଅର ଡାକ୍ତରଙ୍କୁ ସମର୍ଥନ କରି ୫୦ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି ।

ସେପଟେ ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ପ୍ରତିଶ୍ରୁତି ଦେଇଥିଲେ । ମେଡିକାଲ କଲେଜଗୁଡ଼ିକରେ ଚାଲିଥିବା ସବୁ କାମର ୯୦ ପ୍ରତିଶତ ଆସନ୍ତା ମାସରେ ଶେଷ ହେବ । ତେଣୁ ଆନ୍ଦୋଳନ ପ୍ରତ୍ୟାହାର କରି କାମରେ ଯୋଗ ଦେବାକୁ ଡାକ୍ତରମାନଙ୍କୁ ସେ ଆହ୍ଵାନ ଦେଇଥିଲେ । ସେପଟେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତକାଲି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟ ହିଁ ଏକାକୀ ସବୁ କାଣ୍ଡ ଘଟାଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ଅଗଷ୍ଟ ୯ରେ ରାତିରେ ଡ୍ୟୁଟି କରୁଥିବା ବେଳେ ସେମିନାର ହଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।