ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

1 min read

ନୂଆଦିଲ୍ଲୀ: ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି । ଏହି ମାମଲାର ଶୁଣାଣି ଗତକାଲି ହେବାର ଥିଲା। ମାତ୍ର ଏହାକୁ ଆଜିକୁ ଘୁଞ୍ଚାଇବା ଲାଗି ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କ ଅନୁରୋଧ ପରେ ତାରିଖ ପରିବର୍ତ୍ତନ କରିଥିଲେ କୋର୍ଟ । ଦୁଇ ମାସ ପରେ ରିପୋର୍ଟକୁ କାହିଁକି ପ୍ରକାଶ କରାଗଲା ଦର୍ଶାଇ ଗତ ୩୦ ତାରିଖରେ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରିଥିଲେ ଅଦାଲତ।

ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ । ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ।

ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ ଦୁଇ ଆବେଦନାକାରୀ । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ଏହି ମାମଲାର ଶୁଣାଣି କରିବେ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଥିଲେ- ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ । ସେହିପରି ସୁବା ରେଡ୍ଡୀ ଦାବି କରିଥିଲେ- ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ।