ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆଜି ଠାରୁ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେପଟେ ସମୁଦ୍ର ପତ୍ତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଦକ୍ଷିଣ-ପଶ୍ଚିମ ବିହାର ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିବା ନିମ୍ନ ଚାପ ରେଖା ଦୁର୍ବଳ ହୋଇଯାଇଛି ।
ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଘନୀଭୂତ ପାଇଁ ଅନୁକୂଳ ନଥିବାରୁ ଏହା ଲଘୁଚାପ ମଧ୍ୟରେ ସୀମିତ ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଜି ଗଂଜାମ ଗଜପତି ଖୋର୍ଦ୍ଧା ପୁରୀ ଓ ନୟାଗଡ ଏହି ୫ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ସମ୍ଭାବନା ରହିଛି । ଏନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି କାଲି ବର୍ଷାର ପରିମାଣ ବଢିବା ସହ ମାଲକାନଗିରି କୋରାପୁଟ ରାୟଗଡା ଗଂଜାମ ଗଜପତି ମୟୁରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବ । ଏନେଇ ଏହି ସମସ୍ତ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୧୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଆଣିପାଗ ବିଭାଗ ।

