ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଦ୍ଧୁମ ବର୍ଷା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପ ର ରୂପ ନେବ । ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ । ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ପ୍ରଦେଶ ମୁହାଁ ହୋଇ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବର ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷା ହେବ ।

ପ୍ରବଳ ବର୍ଷା ନେଇ ଆଜି ୧୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ସମୟରେ ତଳି ଅଞ୍ଚଳ ରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳ ରେ କୂତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ସତର୍କ କରିଚି ପାଣିପାଗ କେନ୍ଦ୍ର । ସେହିଭଳି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ କୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୩୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ଲାଗିରହିବ ବର୍ଷା । ୧ ତାରିଖରୁ ବର୍ଷାର ପରିମାଣ କମିବ । ବର୍ଷା ସମୟରେ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ବହିବ ପବନ । ଝଟକା ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ । ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ସେଥିପାଇଁ ୩୦ ଓ ୩୧ ରେ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।