୮ଟି ଶ୍ରେଣୀକୁ ୩ ଶିକ୍ଷକ; ତାତିଲେ ଅଭିଭାବକ, ସ୍କୁଲରେ ତାଲା ଝୁଲାଇବାକୁ ଚେତାବନୀ

ଗଞ୍ଜାମ: ସ୍କୁଲରେ ଅଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ହେଲେ ପଢ଼ାଇବାକୁ ରହିଛନ୍ତି ମାତ୍ର ୩ ଜଣ ଶିକ୍ଷକ । ଏଥିରୁ ଅନୁମେୟ ପାଠ ପଢ଼ା କେମିତି ହେଉଥିବ । ଏ ହେଉଛି ଦିଗପହଣ୍ଡି ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେବା ସହ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଆଜି ସ୍କୁଲରେ ତାଲା ପକାଇବାକୁ ବାହାରିଥିଲେ । ତେବେ ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ପ୍ରଥମ, ଦ୍ଵିତୀୟ, ତୃତୀୟକୁ ଗୋଟିଏ ସ୍ଥାନରେ ପଢା ଯାଉଛି । ସେହିପରି ଚତୁର୍ଥ ଓ ପଞ୍ଚମ ଗୋଟିଏ ଶ୍ରେଣୀରେ ଏବଂ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଅଉ ଗୋଟିଏ ଶ୍ରେଣୀଗୃହରେ ପାଠ ପଢାଯାଉଛି । ଅଧିକ ଶିକ୍ଷକ ନିଯୁକ୍ତି ଦେବାକୁ ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିଲେ ବି ସମସ୍ୟାର କୌଣସି ସମାଧାନ କରାଯାଉନି । ଯାହାକୁ ନେଇ ଲୋକଙ୍କ ମନରେ ଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା । ସକାଳୁ ସକାଳୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ ବିଦ୍ୟାଳୟ ମୁଖ୍ୟ ଫାଟକ ତାଲା ପକାଇବାକୁ ସ୍ଥିର କରିଥିଲେ । ଖବର ପାଇ ପ୍ରଧାନଶିକ୍ଷକ, ସହକାରୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ବୁଝାଶୁଝା କରି ୧୫ ଦିନ ମଧ୍ୟରେ ସମସ୍ଯାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଗୁମାପଦର ସ୍କୁଲରେ ପଡ଼ିଲା ତାଲା

ସେପଟେ କନ୍ଧମାଳ ଜିଲ୍ଲା କ.ନୁଆଗାଁ ଗୁମାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାଲା ପକାଇଛନ୍ତି ଅଭିଭାବକ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନହେବାରୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।