ରିଲ୍ସ ନିଶାରେ ଭାଇଗିରି ଦେଖାଉଥିଲେ, ପୋଲିସ ପାଖରେ ଅଣ୍ଡର ଟେକିଂ ଲେଖି ଘରକୁ ଆସିଲେ

ଭୁବନେଶ୍ବର: ଯୁବପିଢୀଙ୍କୁ ଘାରିଛି ରିଲ୍ସ ନିଶା । ଆଉ ନିଶା ଏମିତି ଯେ ଡନକୁ ବି ଟପି ଯିବେ । କେତେବେଳେ ଅଭିମନ୍ୟୁ ଫିଲ୍ମର ଲିଡ ରୋଲରେ ଅଭିନୟ ତ ଆଉ କେତେବେଳେ ନିଜ ଗର୍ଲଫ୍ରେଣ୍ଡକୁ ନିଶା ଖାଇ କବିର ସିଂ ବନିଯିବାକୁ ଧମକ । ଟୁଇନ ସିଟିରେ ଭାଇଗିରି ଦେଖାଇବାକୁ ଯାଇ ଯୁବପିଢି ଏଭଳି ଭୟଙ୍କର ରିଲ୍ସ କରୁଛନ୍ତି । ଏମାନଙ୍କୁ ଘାରିଛି ଡନ ବନିବାର ନିଶା । ହାତରେ ଖଣ୍ଡା, ବନ୍ଧୁକ ଧରି ଖେଳାଉଛନ୍ତି ଆତଙ୍କ ।

ତେବେ ସୋସିଆଲ ମିଡିଆରେ ଏମିତି ରିଲ୍ସ ବନାଇ ଭାଇଗିରି ଦେଖାଉଥିବା ଯୁବକଙ୍କୁ ଏକଥା ଜଣାନାହିଁ ଯେ ସେମାନେ ଅଛନ୍ତି ପୋଲିସ ସ୍କାନରରେ । ସେମାନଙ୍କ ଟିକିନିକି ଖବର ରଖୁଛି ପୋଲିସ । ସେମାନଙ୍କ ସବୁ ଅପରାଧ ଉପରେ ରହିଛି ପୋଲିସର ଆଖି । ସୋସିଆଲ ମିଡିଆରେ ରିଲ୍ସ କରି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇଥିବା କିଛି ଯୁବକଙ୍କୁ ଧରିଛି ପୋଲିସ । ଏ ସବୁ ବନ୍ଧକ ଓ ମାରଣଶସ୍ତ୍ରର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏଭଳି କିଛି ଯୁବକଙ୍କୁ ଆଣି ପଚରାଉଚରା ବି କରିଛି । ଆଉ ଅଣ୍ଡର ଟେକିଂ ଲେଖି ଛାଡିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଅମାନିଆ ରୋମିଓ ଓ ଲଭର ବୟଙ୍କ ବିରୋଧରେ ଆକ୍ସନ ନେଇଛି ପୋଲିସ । ସରକାରୀ ଜମିରେ ଥିବା ସେମାନଙ୍କ ଘର ଭାଙ୍ଗିଛି । ଏତେ ସବୁ ପରେ ମଧ୍ୟ ପୁଣି ଥରେ ଏଭଳି ଭିଡିଓ ଭାଇରାଲ ହେବା ପୋଲିସ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସ୍ୱାଧୀନତା ଦିବସ ଯୋଗୁଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ବେଳେ ଏଭଳି ଭିଡିଓକୁ ଗୁରୁତର ସହ ନେଇଛି ପୋଲିସ ।