spot_img

Latest Posts

ବିଜେପିକୁ ନବୀନଙ୍କ ଟାର୍ଗେଟ୍

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନା ହେଉ କି ଭତ୍ତା । ୩ଶହ ୟୁନିଟ ମାଗଣା ବିଜୁଳି ହେଉ କି ଆଇନଶୃଙ୍ଖଳା । ସବୁଥିରେ ୨୭ ମାସର ବିଜେପି ସରକାର ବିଫଳ । ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାରେ ବି ଏହି ମୁଦ୍ଦା ବାରମ୍ବାର ଉଠୁଛି । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରେ ରଣହୁଙ୍କାର ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାକୁ ଆଜି ଆହୁରି ଶାଣିତ କରିଛନ୍ତି ନବୀନ । ଉତ୍ତର ଭୁବନେଶ୍ୱର ପଦଯାତ୍ରାରେ ସେ ଆହୁରି ଆକ୍ସନ ମୋଡ଼କୁ ଆସିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଜେଡିର ବିକାଶ ଓ ସେବା ନୀତିକୁ ବଖାଣି ଥିଲେ ନବୀନ । ବିଜେଡି ଶାସନ ସମୟରେ ବିକାଶ ପାଇଁ ଓଡ଼ିଶା ସାରା ବିଶ୍ୱରେ ମଡେଲ ରାଜ୍ୟ ହୋଇଥିଲା । ହେଲେ ଡବଲ ଇଂଜିନ ସରକାର ଓଡ଼ିଶାର ଛବି ମଳିନ କରି ଦେଇଥିବା ନେଇ ନବୀନ ଅଭିଯୋଗ କରିଛନ୍ତି । ବିଜେପି ସରକାରର ବିଫଳତାର ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବାକୁ ନବୀନ ପୁଣି ଥରେ ଆହ୍ୱାନ ଦେଇଛନ୍ତି

ନବୀନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ପୁଣି ଥରେ ବିଜେଡି ବ୍ରିଗେଡ ଅଣ୍ଟାଭିଡିଛନ୍ତି । ଜନସମ୍ପର୍କ ପଦଯାତ୍ରାରେ ଦେଖିବାକୁ ମିଳିଥିଲା ନବୀନ କ୍ରେଜ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଟିରୁ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ମାସେବ୍ୟାପୀ ନଭେମ୍ବର ଦୁଇ ଯାଏଁ ଚାଲିବ । ପାଣି, ଖଣିଠୁ ନେଇ ମହିଳା, ଛାତ୍ରଛାତ୍ରୀ ଏ ସରକାର ସବୁଥିରେ ଫେଲ୍ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେପି ଚୁପ । ହେଲେ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ବିଜେପି ପ୍ରସ୍ତୁତ ବୋଲି କଟାକ୍ଷ କରିଛି ବିଜେଡି । ୨୫ ବର୍ଷ ଯାଏଁ ବିଜୁ ଜନତା ଦଳ ତାର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ । ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷାରେ କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନାକୁ ଦେଖି ଲୋକ କହିଲେଣି ଯେ ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି । କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଲେ । ହେଲେ ଓଡ଼ିଶା ସରକାରଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି । କୋଡିଏ ବିଜେପି ସାଂସଦ ମୁହଁ ଖୋଲିଲେ ନାହିଁ । ସେହିପରି ତୃଟିପୂର୍ଣ୍ଣ ବହି ପ୍ରକାଶନରେ ଓଡ଼ିଶା ସରକାରଙ୍କ ପାରିବାପଣିଆ ପଦାରେ ପଡ଼ିଛି ।

Latest Posts

Don't Miss