ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କିଛି ଦଶନ୍ଧି ପରେ ହକି ଟିମକୁ କ୍ରମାଗତ ଦୁଇଟି ପଦକ ମିଳିଛି । ଏହି ସଫଳତାରେ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛନ୍ତି । ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ । ହକିର ସେହି ଆନନ୍ଦମୟ ଦିନଗୁଡ଼ିକ ଫେରିଆସୁ । ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ ବୋଲି ନବୀନ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ କରି ଧନ୍ଯବାଦ ଦେଇଛନ୍ତି କ୍ଯାପଟେନ ହରମନପ୍ରୀତ ସିଂହ । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟୀ ଟିମ୍ ସହ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ସେ ସମସ୍ତ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଥିଲେ ।

ନବୀନଙ୍କ ପାଇଁ ହକିରେ ସ୍ବର୍ଣ୍ଣିମ ଯୁଗ । ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଭାରତୀୟ ହକି ଆଜି ଜଗତଜିତା । ଭାରତୀୟ ପୁରୁଷ ହକି ଦଳ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପଛରେ ରହିଛି ଓଡ଼ିଶା ଏବଂ ନବୀନଙ୍କର ବଡ଼ ଅବଦାନ । କାରଣ ଯେତେବେଳେ ହକି ହଜି ଯିବାକୁ ବସିଥିଲା, ଭାରତୀୟ ହକି ଦଳ ସ୍ପନସର ଅଭାବରୁ ବୁଡ଼ିଯିବାକୁ ଯାଉଥିଲା ସେତେବେଳେ ହକିର ହାତ ଧରି ଆଗେଇ ନେଇଥିଲେ ସେତେବେଳର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ସାହାରା ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା ଓଡ଼ିଶା ।

ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା ହକିର ହାତ ଧରିଥିଲା । ପ୍ରଥମେ ୨୦୧୮ରୁ ୫ବର୍ଷ  ଅର୍ଥାତ ୨୦୨୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଥିଲା । ପରେ ଏହି ଅବଧିକୁ ୨୦୩୩ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ ସରକାର । ଓଡ଼ିଶା ଖାଲି  ହକିର ପ୍ରାୟୋଜକ ହୋଇନଥିଲା ବରଂ ଭିତ୍ତିଭୂମି ବିକାଶ ଓ ଅନ୍ଯାନ୍ଯ କ୍ଷେତ୍ରରେ ବି ଇତିହାସ ରଚିଛି । ନବୀନଙ୍କ ନେତୃତ୍ବରେ  ୨୦୧୮ ଓ ୨୦୨୩ରେ ଲଗାତାର ଦୁଇଥର ହକି ବିଶ୍ବକପ ଆୟୋଜନ କରି ବିଶ୍ବକୁ ଓଡ଼ିଶା ଚମକାଇ ଦେଇଥିଲା । ଏହାଛଡ଼ା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ମଧ୍ଯ ଆୟୋଜନ କରିଥିଲା । ରାଉରକେଲାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ  ବିଶ୍ବ ହକି ପାଇଁ ଏକ ନୂଆ ମାଇଲଖୁଣ୍ଟ ସାଜିଛି । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲା । ଏହାଛଡ଼ା ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା ମହିଳା ଦଳ । ଆଉ ଚଳିତ ଅଲିମ୍ପିକ୍ସରେ ବି ପୁରୁଷ ହକି ଦଳ ବ୍ରୋଞ୍ଜ ମେଡାଲ ଜିତି ସଫଳତା ଲାଭ କରିଛି । ହକି ଦଳର ସଫଳତା ପାଇଁ ନବୀନଙ୍କ ଉଦ୍ଯମକୁ ସବୁଠି ସାଧୁବାଦ ଜଣାଯାଉଛି । ସେଦିନ ନବୀନ ହାତ ବଢାଇ ନଥିଲେ ଯେ ଭାରତରେ ହକିର ଅବସ୍ଥା କଣ ହୋଇଥାନ୍ତା ତାହା ସ୍ପଷ୍ଟ ଅନୁମେୟ ।