ସାଇବର କ୍ରାଇମ୍: ରାଜଧାନୀରେ ୬ ମାସରେ ୩୬ କୋଟି ଠକେଇ

1 min read

ଭୁବନେଶ୍ବର: ହାତରେ ଆଉ ବନ୍ଧୁକ ଖଣ୍ଡା ନୁହେଁ, କମ୍ପୁଟର ଆଗରେ ବସି ହେଉଛି କ୍ରାଇମ । କମୁଛି ଫିଜିକାଲ କ୍ରାଇମ୍, ବଢୁଛି ସାଇବର କ୍ରାଇମ୍ । ଆକ୍ରାନ୍ତ କଲାଣି ମିଛ ପୋଲିସଙ୍କ କୋରିୟର ଫ୍ରଡ଼ । ଡିଜିଟାଲ ଆରେଷ୍ଟ ହୋଇ କୋଟି କୋଟି ହରାଉଛନ୍ତି ବଡ଼ ବଡ଼ିଆ । ରାଜଧାନୀରେ ୬ ମାସରେ ଯାଇଛି ୩୬ କୋଟି, ଫେରିଛି ମାତ୍ର ସାଢ଼େ ୯ କୋଟି । ଏମିତି ସାଇବର କ୍ରାଇମ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ସାମ୍ନାକୁ ଆସିଲା ଭୁବନେଶ୍ୱର ସାଇବର ଥାନାର ୬ ମାସର ରିପୋର୍ଟ । ଜାନୁଆରୀ ୧ରୁ ଜୁନ ୩୦ ମଧ୍ୟରେ ୩୬ କୋଟି ଟଙ୍କାର ଠକେଇ ହୋଇଛି । ୬ ମାସ ମଧ୍ୟରୁ ୨୩ ଶହ ୯୪ଟି ରିପୋର୍ଟ ହୋଇଛି । ସେଥିରୁ ୧୧୦ଟି କେସ ରେଜିଷ୍ଟର ହୋଇଛି । ସେଥିମଧ୍ୟରୁ ସାଢ଼େ ୯ କୋଟି ଟଙ୍କା ଫ୍ରିଜ୍ କରାଯାଇଛି । ଫ୍ରିଜ୍ ଟଙ୍କାରୁ ୪୬ ଲକ୍ଷ ଟଙ୍କା କ୍ଷତିଗସ୍ତଙ୍କୁ ଫେରସ୍ତ ଦିଆଯାଇଛି । ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ଅନେକ ଅଭିଯୋଗ ଆସିଛି । ତେବେ UPI କାରବାର ବେଳେ ସର୍ବାଧିକ ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଛି । ସୋସିଆଲ ମିଡିଆ, RTGS, NEFT ଜରିଆରେ ମଧ୍ୟ ଅଧିକ ଠକେଇ ନେଇ ଅଭିଯୋଗ ହୋଇଛି ।

ସାଇବର ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରିଅର ଫ୍ରଡ଼ । ପାର୍ଶଲରେ ନିଶା କାରବାର ହେଉଥିବା ନେଇ ବଡ଼ ବଡ଼ିଆଙ୍କୁ ମୁମ୍ବାଇ ପୋଲିସ, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ବ୍ୟୁରୋ ନାଁରେ ଅନେକ ଫୋନ ଆସୁଛି । କିଛିଦିନ ତଳେ ୨ ସରକାରୀ ଚାକିରିଆଙ୍କୁ ଚୁନା ଲଗାଇ ଗିରଫ ହୋଇଥିଲେ ଅଭିଯୁକ୍ତ । ପରେ ସେମାନେ ସାରା ଦେଶରେ ନିଜକୁ ମୁମ୍ବାଇ ପୋଲିସ କହି ୫୦ କୋଟି ଠକିଥିବା ଜଣାପଡିଥିଲା । ସେହିପରି ବିଦେଶରେ ଚାକିରି କରୁଥିବା ମହିଳାଙ୍କୁ ଗୁଗୁଲ ଜରିଆରେ ହୋଟେଲ ରିଭ୍ୟୁ ଦେବାକୁ କହି ୩ ଲକ୍ଷ ୪୦ ହଜାର ନେଇଯାଇଥିଲେ ଠକ ।

୬ ମାସ ମଧ୍ୟରେ ୨୧ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସାଇବର ଠକେଇର ଶିକାର ହେବା ମାତ୍ରେ ୧୯୩୦ ନମ୍ବରରେ କଲ କରିବାକୁ କହିଛନ୍ତି ପୋଲିସ କମିଶନର ।